fbpx

“ଭିଡିଓକୁ ସୁରକ୍ଷିତ ରଖନ୍ତୁ!”… କାହିଁକି ଏପରି ଲେଖିଲେ ଲଳିତ? ମୋବାଇଲରେ ଲୁଚି ରହିଛି ସଂସଦରେ ଷଡ଼ଯନ୍ତ୍ରର କାହାଣୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଗତକାଲି ୨ ଜଣ ଅଜଣା ବ୍ୟକ୍ତି ଭିତରକୁ ପ୍ରବେଶ କରିବା ପରେ ଗୃହରେ ବେଶ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ସହିତ ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତମାନଙ୍କୁ ଗତକାଲି ପୁଲିସ ଗିରଫ କରି ଏ ବାବଦରେ ପଚରା ଉଚରା ଜାରି ରଖିଛି ।

ତେବେ ଏହା ମଧ୍ୟରେ ଦୁର୍ବୃତ୍ତମାନେ ଏପରି ଘଟଣା ଘଟାଇବା ପଛରେ ଥିବା କାରଣ ପୁଲିସକୁ କହିଛନ୍ତି । ବର୍ତ୍ତମାନ ଦେଶରେ ବେକାରୀ, କୃଷକମାନଙ୍କ ସମସ୍ୟା, ମଣିପୁରରେ ହୋଇଥିବା ଘଟଣା ଆଦି ସମସ୍ୟା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ କରାଇବା ପାଇଁ ସେମାନେ ଏପରି କରିଥିବା କହିଛନ୍ତି । ତେବେ ସେମାନେ ଭଗତ ସିଂଙ୍କ ଦ୍ୱାରା ପ୍ରଭାବିତ ହୋଇ ଏପରି କାର୍ଯ୍ୟ କରିଥିବା ପୁଲିସକୁ କହିଛନ୍ତି । ଏପରିକି ସେମାନେ ସୋସିଆଲ ମିଡିଆ ଦ୍ୱାରା ଯୋଗାଯୋଗ କରୁଥିବା ପୁଲିସ ସୂଚନା ଦେଇଛି ।

କିନ୍ତୁ ପୁଲିସ ଏହି କାରଣ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିନାହିଁ । ତେବେ ଏହି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେମାନଙ୍କର ମୋବାଇଲ ଫୋନକୁ ବିସ୍ତୃତ ଭାବେ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ହେଲେ ଚାରିଜଣ ଅଭିଯୁକ୍ତଙ୍କ ମୋବାଇଲ ଲଳିତ ପାଖରେ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଲଳିତର ସନ୍ଧାନ ମିଳିନଥିବା କାରଣରୁ ସେମାନଙ୍କର ମୋବାଇଲ ଏପର୍ଯ୍ୟନ୍ତ ଜବତ କରାଯାଇପାରି ପାରିନାହିଁ । ଏପରି ସ୍ଥଳେ ସମସ୍ତ ପ୍ରମାଣକୁ ଉକ୍ତ ମୋବାଲରୁ ନଷ୍ଟ କରିଦେବା ନେଇ ପୁଲିସ ଆଶଙ୍କା ପ୍ରକାଶ କରିଛି । ତେବେ ମାଷ୍ଟରମାଇଣ୍ଡ ଲଳିତ ଧରାପଡ଼ିବା ପରେ ଏହି ଘଟଣା ଉପରୁ ପର୍ଦ୍ଦାଫାସ ହେବ ।

ତେବେ ଏହା ମଧ୍ୟରେ ଲଳିତ ନିଜର ଜଣେ ଘନିଷ୍ଠ ସହଯୋଗୀ ନୀଳାକ୍ଷ ଆଇଚଙ୍କ ସହିତ ଯୋଗାଯୋଗ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ନୀଳାକ୍ଷଙ୍କ ସହିତ ଏହି ଘଟଣା ଘଟିବାର ତୁରନ୍ତ ପରେ ଲଳିତ ଯୋଗାଯୋଗ କରିଥିବା ସେ କହିଛନ୍ତି । ଏହା ସହିତ ତାଙ୍କୁ ସଂସଦରେ ହୋଇଥିବା ଘଟଣାର ଏକ ଭିଡିଓ ମଧ୍ୟ ପଠାଇ ଲେଖିଛନ୍ତି- “ମିଡିଆ କଭରେଜ ଦେଖନ୍ତୁ । ଏହି ଭିଡିଓକୁ ସୁରକ୍ଷିତ ରଖନ୍ତୁ । ଜୟ ହିନ୍ଦ ।”

ତେବେ ସେମାନଙ୍କର କୌଣସି ସଂଗଠନ ସହିତ ଯୋଗାଯୋଗ ଥିବା ନେଇ ପୁଲିସ ସନ୍ଦେହ କରିଛି । ତେବେ ଦିଲ୍ଲୀ ପୁଲିସ ସଂସଦରେ ହୋଇଥିବା ଏହି ଘଟଣାର ମାଷ୍ଟର ମାଇଣ୍ଡ ଲଳିତକୁ ଖୋଜିବାରେ ଲାଗିଛି । ସେଥିପାଇଁ ପୁଲିସ ଆଖପାଖ ଅଞ୍ଚଳରେ ସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.