fbpx

BCCI ପକ୍ଷରୁ ସୂଚନା: ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଲେ ଟିମ୍ ଇଣ୍ଡିଆର ଦୁଇ ଖେଳାଳି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତର ଦୁଇଜଣ ଖେଳାଳି ଏହି ଗସ୍ତରୁ ବାଦ୍ ପଡ଼ିଛନ୍ତି । ଦିନିକିଆ ସିରିଜ୍ ସରିବା ପରେ ଭାରତ ଡିସେମ୍ବର ୨୬ ଓ ଜାନୁଆରୀ ୩ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଭାରତର ଦୁଇଜଣ ପ୍ରମୁଖ ଖେଳାଳି ଦଳରୁ ବାହାର ହେବା ପରେ ଏବେ ଦଳର ଚିନ୍ତା ବଢ଼ି ଯାଇଛି ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ ୧-୧ରେ ବରାବର କରିଥିବା ବେଳେ ଆଜିଠାରୁ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ଏହାପରେ ଆସନ୍ତା ୨୬ରୁ ଟେଷ୍ଟ ସିରିଜ୍ ଖେଳାଯିବ । ତେବେ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଦଳର ପ୍ରମୁଖ ପେସର ମହମଦ ଶାମି ଦଳରୁ ବାଦ୍ ପଡ଼ିଛନ୍ତି । ଶାମିଙ୍କ ଟେଷ୍ଟ ସିରିଜରେ ସାମିଲ ହେବା ତାଙ୍କର ଫିଟନେସ ଉପରେ ନିର୍ଭର କରୁଥିଲା । ତେବେ ବିସିସିଆଇର ମେଡିକାଲ ଟିମ ଶାମିଙ୍କୁ ଖେଳିବାକୁ ଅନୁମତି ଦେଇନାହିଁ । ନିକଟରେ ସମାପ୍ତ ହୋଇଥିବା ଦିନିକିଆ ବିଶ୍ୱକପରେ ଶାମି ଶାନଦାର ପ୍ରଦର୍ଶନ କରି ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ଅକ୍ତିଆର କରିବା ସହ ନୂଆ ରେକର୍ଡ ସ୍ଥାପନ କରିଥିଲେ ।

ସେହିପରି ଆସନ୍ତାକାଲିଠାରୁ ଦିନିକିଆ ସିରିଜ ଆରମ୍ଭ ହେଉଥିବା ବେଳେ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି । ପାରିବାରିକ ସମସ୍ୟା କାରଣରୁ ଦୀପକ ଏହି ଗସ୍ତରୁ ଓହରି ଯାଇଥିବା ଜଣାପଡ଼ିଛି । ତେବେ ଦୀପକଙ୍କ ସ୍ଥାନରେ ଦିନିକିଆ ଦଳରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଟେଷ୍ଟ ସିରିଜରୁ ଶାମିଙ୍କ ପରି ଜଣେ ପ୍ରତିଭାବାନ ବୋଲର ବାଦ୍ ପଡ଼ିବା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆର ପଏଣ୍ଟ ବିଗିଡ଼ିବାର ସମ୍ଭାବନା ରହିଛି । ଟେଷ୍ଟ ସିରିଜ ଉପରେ ଅଧିକ ଫୋକସ କରିବା ଲକ୍ଷ୍ୟରେ ରାହୁଲ ଦ୍ରାବିଡ଼ ଦକ୍ଷିଣ ଆଫ୍ରିକା ଗସ୍ତର ଦିନିକିଆ ସିରିଜରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଏନସିଏର ସିତାଂଶୁ କୋଟକଙ୍କ କୋଚିଂ ଦାୟିତ୍ୱ ସମ୍ଭାଳିବେ ।

Get real time updates directly on you device, subscribe now.