fbpx

କୋଲକାତାରେ ଆକାଶଛୁଆଁ ହେଲା ଅଣ୍ଡାଦର, ଆମ ରାଜ୍ୟରେ ବଢିବ କି ନା ଜାଣିନିଅନ୍ତୁ

କୋଲକାତା:ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଣ୍ଡା ସମସ୍ତଙ୍କର ଅତି ପ୍ରିୟ । କିନ୍ତୁ ଏହି ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି । ବାତ୍ୟା ମିଚୋଙ୍ଗର ପ୍ରଭାବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଅଣ୍ଡା ଯୋଗାଣ ପ୍ରଭାବିତ ହୋଇଛି । ଏହି କାରଣରୁ କୋଲକାତାର ଖୁଚୁରା ବଜାରରେ ଅଣ୍ଡାର ମୂଲ୍ୟ ବଢିଯାଇଛି । ଏହି କାରଣରୁ କୋଲକାତାର ଅଧିକାଂଶ ଖୁଚୁରା ବଜାରରେ ଅଣ୍ଡାର ମୂଲ୍ୟ ୭ଟଙ୍କା ୫୦ ପଇସା ଓ ସହରର ପାଶ୍ୱବର୍ତ୍ତୀ କିଛି ଅଞ୍ଚଳରେ ଅଣ୍ଡା ମୂଲ୍ୟ ୮ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ସହରର ଖୁଚୁରା ବଜାରରେ ଅଣ୍ଡା ମୂଲ୍ୟ ୫ ଟଙ୍କା ୫୦ ପଇସାରୁ ୬ ଟଙ୍କା ମଧ୍ୟରେ ଥିଲା । ଏପରି ସ୍ଥିତିରେ ପ୍ରଶ୍ନ ଉଠିଛି ଅନ୍ୟ ରାଜ୍ୟରେ ବି କ’ଣ ଅଣ୍ଡା ମୂଲ୍ୟ ବଢିଯିବ? ଆସନ୍ତୁ ଜାଣିବା ଏ ବିଷୟରେ ।

ଭାରତରେ ସବୁଠାରୁ ବଡ ଅଣ୍ଡା ଉତ୍ପାଦକ ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ । ଦେଶରେ ମୋଟ ଅଣ୍ଡା ଉତ୍ପାଦନରେ ଆନ୍ଧ୍ରପ୍ରଦେଶର ଯୋଗଦାନ ରହିଛି ୨୦.୪୧% । ଏହାପରେ ତାମିଲନାଡୁର ସ୍ଥାନ ରହିଛି । ଅଣ୍ଡା ଉତ୍ପାଦନରେ ତାମିଲନାଡୁର ଯୋଗଦାନ ୧୬.୦୮% । ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ତେଲେଙ୍ଗାନା । କିନ୍ତୁ ଏହି ସମସ୍ତ ରାଜ୍ୟରେ ବାତ୍ୟା ମିଚୋଙ୍ଗ କାରଣରୁ ଅଣ୍ଡା ଉତ୍ପାଦନ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ସାରା ଦେଶରେ ଅଣ୍ଡା ଯୋଗାଣ ଉପରେ ପଡିବ । ବିହାର, ଉତ୍ତରପ୍ରଦେଶ, ପଞ୍ଜାବରେ ଅଣ୍ଡା ଉତ୍ପାଦନ କମ୍ ରହିଛି । ଏଣୁ ଏହିସବୁ ରାଜ୍ୟକୁ ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ଅଣ୍ଡା ଦର ବୃଦ୍ଧି ପାଇବ ।
ଶୀତଦିନେ ଅଣ୍ଡାର ଅଧିକ ଚାହିଦା ରହିଥାଏ । ଏହାର ପ୍ରଭାବ ମଧ୍ୟ ମୂଲ୍ୟ ଉପରେ ପଡିବ । ଗତ କିଛିଦିନ ମଧ୍ୟରେ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଡିସେମ୍ବର ଆରମ୍ଭରେ ହିଁ ଅଣ୍ଡାଦର ବଢିବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.