ଓଡିଶା ଭାସ୍କର: ବହୁ ଚର୍ଚ୍ଚିତ ବର୍ଷା-ଅନୁଭବଙ୍କ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ। ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ମାନ୍ୟବର ହାଇକୋର୍ଟ। ତେବେ ଅନୁଭବଙ୍କ ଆବେଦନ ଆଧାରରେ ଏହି ଅନୁମତି ମିଳିଥିବା ଜଣାପଡିଛି। ମାତ୍ର ପୂର୍ବରୁ କୋର୍ଟ ଏହି ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ।
ସୂଚନା ଥାଉକି, କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲାକୁ ନେଇ ଅନେକ ଚର୍ଚ୍ଚା ଦେଖାଦେଇଥିଲା। ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳହ ଓ ବିବାଦ ଦେଖା ଦେଇଥିଲା। ଫଳରେ ଉଭୟ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଶେଷରେ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି।
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟରେ ତାଙ୍କର ସେହି ପୁରୁଣା ଯୁକ୍ତି ଉଲ୍ଲେଖ କରିଥିଲେ। ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହା ସହ ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ବୈବାହିକ ସଂପର୍କ ଯେମିତି ରହିବା କଥା, ତାହା ସେମାନଙ୍କ ମଧ୍ୟରେ ନାହିଁ। ପରିବାରକୁ ଆଗେଇ ନେବାରେ ଓ ସନ୍ତାନସନ୍ତତି କରିବାରେ ବର୍ଷା ସହଯୋଗ କରୁ ନଥିବା ଅନୁଭବ କୋର୍ଟଙ୍କୁ କହିଥିଲେ। ଅନ୍ୟପଟେ ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁବକଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍ମେଣ୍ଟ ଆସିବା ପରେ ଜଣାପଡ଼ିବ।