fbpx

(Video) ଏମିତି ସହର, ଯେଉଁଠି ଖାଇବା ଛାଡ଼ନ୍ତୁ, ଆମିଷ ବିକିବା ଉପରେ ଲାଗିଛି କଟକଣା

ଓଡ଼ିଶା ଭାସ୍କର: ଭାରତରେ ଏମିତି ଅନେକ ବିଶେଷତ୍ୱ ରହିଛି ଯାହା ଆମ ଦେଶକୁ ଭିନ୍ନ ପରିଚୟ ଦେଇଥାଏ । ବିଭିନ୍ନ ମନ୍ଦିର, ମଠ ଓ ଧାର୍ମିକ ସ୍ଥଳୀରେ ପରିପୂର୍ଣ୍ଣ ଆମର ଏ ଭାରତ ଭୂଖଣ୍ଡ । ସେଥିପାଇଁ ଭାରତକୁ ଦେବଭୂମି ବୋଲି ମଧ୍ୟ କୁହାଯାଏ । ଆମ ଦେଶରେ ଭାଷା, ସଂସ୍କୃତି ଓ ଚଳଣୀରେ ବିଭିନ୍ନତା ସହ ଖାଦ୍ୟ ପାନୀୟରେ ମଧ୍ୟ ବିଭିନ୍ନତା ରହିଛି । ହେଲେ ଆପଣମାନେ ହୁଏତ ଜାଣିନଥିବେ ଯେ ଆମ ଦେଶରେ ଏମିତି ବି ଏକ ସହର ରହିଛି, ଯେଉଁଠି କେହି ବି ଆମିଷ ଖାଆନ୍ତିନି । ଏମିତି କି ଏହି ସହରରେ ମାଛ, ମାଂସ କିମ୍ବା ଅନ୍ୟ କୌଣସି ଆମିଷ ଦ୍ରବ୍ୟ ବିକ୍ରି କରିବା ମଧ୍ୟ ନିଷିଦ୍ଧ କରାଯାଇଛି । କାରଣ ଏଠିକାର ବାସିନ୍ଦାମାନେ କେବଳ ନିରାମିଷ ଭୋଜନ ହିଁ କରିଥାନ୍ତି ।

ଏଭଳି ଏକ ସହର ହେଉଛି ଗୁଜରାଟର ପାଲିତାନା । ଏହା କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ୱରେ ଏହି ସହର ବେଶ୍ ପ୍ରସିଦ୍ଧ । ପାଲିତାନା ସହରର ସ୍ୱତନ୍ତ୍ରତା ହେଉଛି ଯେ ଏହା ଏକ ଶାକାହାରୀ ସହର । ଏହା ହେଉଛି ସାରା ଦୁନିଆର ପ୍ରଥମ ସହର ଯାହାର ବାସିନ୍ଦାମାନେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଥାନ୍ତି । କାରଣ ପାଲିତାନା ସହରରେ ପଶୁପକ୍ଷୀଙ୍କୁ ହତ୍ୟା କରିବା ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । ଏପରିକି ଏଠାରେ କେହି ମାଂସାହାରୀ ହୋଇନଥିବାରୁ ଏହି ସହରରେ ଆମିଷ ଖାଦ୍ୟ ବିକ୍ରି କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ଆସନ୍ତୁ ଜାଣିବା ପାଲିତାନା ସହର ବିଷୟରେ କିଛି ଖାସ୍ କଥା ।

ପାଲିତାନା ସହରରେ ଆମିଷ ଖାଦ୍ୟ ସମ୍ପୂର୍ଣ୍ଣ ନିଷେଧ ଏବଂ ଏଠାରେ ପଶୁ ହତ୍ୟାକୁ ବେଆଇନ ବୋଲି ବିବେଚନା କରାଯାଏ । ଏଠାରେ ଏମିତି ଏକ ପର୍ବତ ରହିଛି, ଯାହା ଉପରେ ୯୦୦ରୁ ଅଧିକ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ପର୍ବତର ନାଁ ଶତ୍ରୁଞ୍ଜୟ । ତେବେ ପର୍ବତ ଉପରେ ଥିବା ମନ୍ଦିର ପାଖରେ ପହଞ୍ଚିବା ପାଇଁ ଆପଣଙ୍କୁ ପ୍ରାୟ ୩,୯୫୦ ପାହାଚ ଚଢି ଯିବା ପାଇଁ ପଡିବ । ପାଲିତାନା ସହରକୁ ଜୈନ ଧର୍ମାବଲମ୍ବୀ ମାନେ ଏକ ପବିତ୍ର ସ୍ଥାନ ବୋଲି ମନେ କରନ୍ତି । ଜୈନ ଧର୍ମର ବହୁ ସଂଖ୍ୟକ ଅନୁଗାମୀ ଏଠାରେ ବସବାସ କରନ୍ତି । ତେଣୁ ସେମାନେ ଏହି ସହରରେ ଆମିଷ ବିକ୍ରି ପାଇଁ ବିରୋଧ କରିଥିଲେ ଏବଂ ପଶୁପକ୍ଷୀଙ୍କୁ ମାରିବା ବନ୍ଦ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ । ଏହା ପରେ ୨୦୧୪ ରେ ସରକାର ସେମାନଙ୍କୁ ଦାବିକୁ ଗ୍ରହଣ କରିଥିଲେ । ଏବଂ ଏହି ସହରରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା । ଏହା ପରେ ହିଁ ଗୁଜରାଟର ପାଲିତାନା ସହର ବିଶ୍ୱର ପ୍ରଥମ ଶାକାହାରୀ ସହର ଭାବେ ମାନ୍ୟତା ପାଇଥିଲା ।

ପାଲିତାନା ସହର ପରିଦର୍ଶନରେ ଯାଉଥିବା ପର୍ଯ୍ୟଟକମାନେ ଶତ୍ରୁଞ୍ଜୟ ହିଲ୍, ଶ୍ରୀ ବିଶାଲ ଜୈନ ମୁଜିୟମ୍ ଏବଂ ହସ୍ତଗିରି ଜୈନ ତୀର୍ଥ ଦେଖିବାକୁ ନିଶ୍ଚୟ ଯାଇଥାନ୍ତି । ଗୋପନାଥ ବିଚ୍ର ମନୋରମ ଦୃଶ୍ୟ ମଧ୍ୟ ଏଠାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ପାଲିତାନା ସହର ପରିଦର୍ଶନ ପାଇଁ ୨ ଦିନ ସମୟ ହିଁ ଯଥେଷ୍ଟ । ଟ୍ରେନ୍, ବସ୍ କିମ୍ବା ବିମାନ ଯୋଗେ ପାଲିତାନା ସହରରେ ପହଞ୍ଚିହେବ । ଯଦି ଆପଣ ଟ୍ରେନରେ ଯାଉଛନ୍ତି ତା’ହେଲେ ଆପଣଙ୍କୁ ଭାବନଗର କିମ୍ବା ଅହମ୍ମଦାବାଦରୁ ଟ୍ରେନ୍ ଧରିବାକୁ ପଡିବ ।

Get real time updates directly on you device, subscribe now.