fbpx

Captain ହାର୍ଦ୍ଦିକ ଖେଳିବେନି IPL-2024! ରୋହିତ ନେବେ MIର କି ଅଧିନାୟକ ପଦ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ନୂଆ ସିଜନ ପାଇଁ ନୂଆ ଅଧିନାୟକ ବାଛିଛି ମୁମ୍ବାଇ ଇଣ୍ଡିଆନ୍ସ । ଆସନ୍ତା ସିଜନ ପାଇଁ ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ପ୍ରଦାନ କରିଛି । ଏହାକୁ ନେଇ ସବୁଆଡ଼େ ଆଲୋଚନା ହେଉଥିବା ବେଳେ ଅନେକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆହତ ସମସ୍ୟା ଯୋଗୁଁ ଆଇପିଏଲରେ ହାର୍ଦ୍ଦିକଙ୍କ ଖେଳିବା ନେଇ ଆଶଙ୍କା ରହିଛି । ତେଣୁ ହାର୍ଦ୍ଦିକ ଆଇପିଏଲ ନ ଖେଳିଲେ, ଦଳର ଅଧିନାୟକ ପଦ କିଏ ନେବେ ସେ ନେଇ ବର୍ତ୍ତମାନ ଦଳ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ।

ବିସିସିଆଇ ତରଫରୁ ମିଳିଥିବା ରିପୋର୍ଟ ଅନୁସାରେ, ଆହତ ସମସ୍ୟାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅପଡେଟ ମିଳି ପାରି ନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି କି ନାହିଁ, ତାହା ସନ୍ଦେହ ଘେରରେ ରହିଛି । ତେଣୁ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ସହିତ ଆଇପିଏଲ-୨୦୨୪ରୁ ମଧ୍ୟ ସେ ବାଦ୍ ପଡ଼ିପାରନ୍ତି । ତେବେ ନିକଟରେ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଏକ ବଡ଼ ସମସ୍ୟା ପାଲଟିଛି । ଦଳକୁ ୫ ଥର ଚମ୍ପିଆନ୍ କରାଇଥିବା ରୋହିତଙ୍କ ପାଖରୁ ନେତୃତ୍ୱ ଛଡ଼ାଇ ନେଇ ହାର୍ଦ୍ଦିକଙ୍କୁ ପ୍ରଦାନ କରିଥିଲା ମୁମ୍ବାଇ । କିନ୍ତୁ ଆଇପିଏଲ ପୂର୍ବରୁ ହିଁ ହାର୍ଦ୍ଦିକଙ୍କ ଆହତ ସମସ୍ୟା ଯୋଗୁଁ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ହାର୍ଦ୍ଦିକ ଆଇପିଏଲରେ ଅନୁପସ୍ଥିତ ରହିଲେ କିଏ ନେବେ ମୁମ୍ବାଇର ଅଧିନାୟକ ପଦ? ପୁଣିଥରେ ରୋହିତଙ୍କୁ ଦାୟିତ୍ୱ ଫେରାଇବ କି ମୁମ୍ବାଇ ଇଣ୍ଡିଆନ୍ସ? ଆଇପିଏଲ-୨୦୨୪ରେ ରୋହିତଙ୍କୁ ପୁଣିଥରେ ଅଧିନାୟକ ରୂପରେ ଦେଖିବାକୁ ମିଳିବ କି? ଏ ନେଇ ଏବେ ଖୁବ ଆଲୋଚନା ଆରମ୍ଭ ହେଉଛି । ମୁମ୍ବାଇ ଇଣ୍ଡିଆନ୍ସ ଚାହିଁବ ରୋହିତ ପୁଣିଥରେ ଦଳର ନେତୃତ୍ୱ ଗ୍ରହଣ କରନ୍ତୁ । କିନ୍ତୁ ଏହାର ନିଷ୍ପତ୍ତି ବ୍ୟକ୍ତିଗତ ଭାବରେ ରୋହିତଙ୍କ ଉପରେ ରହିବ ।

ରୋହିତଙ୍କ ବ୍ୟତୀତ କିଏ ହୋଇପାରନ୍ତି ଅଧିନାୟକ?

ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଅଧିନାୟକ ପାଇଁ ସର୍ବଶ୍ରେଷ୍ଠ ଖେଳାଳି ବା ବିକଳ୍ପ ରହିଛନ୍ତି । ତେବେ ରୋହିତଙ୍କ ବ୍ୟତୀତ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଜଶପ୍ରୀତ ବୁମରାହ ମଧ୍ୟ ଏହି ଦାୟିତ୍ୱ ନେଇପାରନ୍ତି । ହାର୍ଦ୍ଦିକ ଅନୁପସ୍ଥିତ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଭାର ସମ୍ଭାଳୁଛନ୍ତି । ଏହାବ୍ୟତୀତ ଜଶପ୍ରୀତ ବୁମରାହ ମଧ୍ୟ ଅଧିନାୟକ ଭାବରେ ଜଣେ ଭଲ ବିକଳ୍ପ ରହିଛନ୍ତି । ଭାରତୀୟ ଟେଷ୍ଟ ଟିମ ପାଇଁ ସେ ଗୋଟିଏ ମ୍ୟାଚରେ ନେତୃତ୍ୱ ନେଇ ସାରିଛନ୍ତି ।

Get real time updates directly on you device, subscribe now.