fbpx

ଘଟଣା ପଛର ସତ୍ୟତା କ’ଣ? ମହାନଦୀର ଗଭୀର ଜଳରାଶିରୁ ଉଦ୍ଧାର ହେଲା ୮ଟି ନାଗ ମୂର୍ତ୍ତି, ପାଣି ଭିତରେ ରହିଛି ଗୋଟିଏ ପିତ୍ତଳ ଘୋଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଘଟଣାକୁ ନେଇ ବେଶି ଚର୍ଚ୍ଚା ହୋଇଥାଏ । ବେଳେ ନଦୀ, ସମୁଦ୍ର ଆଦିରୁ କିଛି ବିରଳ ମୂର୍ତ୍ତି ବା ଜିନିଷ ଉଦ୍ଧାର ହୋଇଥାଏ । ଏପରି ସ୍ଥିତିରେ କିଛି ଲୋକ ଈଶ୍ୱରଙ୍କ କୃପା କହୁଥିବା ବେଳେ ଆଉ କିଛି ଅନ୍ୟ କିଛି କଥା କହିଥାନ୍ତି । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଘଟଣା ।

ସୂଚନା ମୁତାବକ, ମହାନଦୀରୁ ୮ଟି ନାଗ ମୂର୍ତ୍ତି ଉଦ୍ଧାର ହୋଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମ ନିକଟ ଦେଇ ଯାଇଥିବା ମହାନଦୀରୁ ଏହି ମୂର୍ତ୍ତିଗୁଡ଼ିକ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମହାନଦୀର ଅତଳ ଜଳରାଶିରେ ବୁଡ଼ି ରହିଥିବା ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିରର ଦୁଇ କିମି ପୂର୍ବରୁ ଏହି ମୂର୍ତ୍ତିଗୁଡ଼ିକ ଉଦ୍ଧାର ହୋଇଛି । ସକାଳ ୮ଟା ସମୟରେ ପଦ୍ମାବତୀ ଗ୍ରାମର ଜଣେ ବ୍ୟକ୍ତି ପାଣିରେ ଏକ ବିରାଟକାୟ ନାଗ ମୂର୍ତ୍ତି ଦେଖି ସମସ୍ତଙ୍କୁ ଡାକ ପକାଇଥିଲେ । ଏହାପରେ ଗାଁଲୋକେ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ଗଭୀର ଜଳରାଶିରୁ ଏହି ୮ଟି ନାଗ ମୂର୍ତ୍ତି ଉଦ୍ଧାର କରିଥିଲେ ।

ତେବେ ନାଗ ମୂର୍ତ୍ତି ମିଳିଥିବା ସ୍ଥାନରେ ୧୦-୧୫ ଫୁଟ ଉଚ୍ଚରେ ପାଣି ରହିଥିବା ବେଳେ ସେଠାରେ ଆହୁରି ଅନେକ ମୂର୍ତ୍ତି ରହିଥିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ । ଏଥିସହିତ ପାଣି ଭିତରେ ଗୋଟିଏ ପିତ୍ତଳ ବା ମାଟିର ଘୋଡ଼ା ରହିଥିବା ମଧ୍ୟ କିଛି ଲୋକ ଦେଖିଛନ୍ତି । ଗ୍ରାମବାସୀମାନେ ନାମ ସଂକୀର୍ତ୍ତନ କରି ନାଗ ମୂର୍ତ୍ତିକୁ ଆଣି ପଦ୍ମାବତୀ ବଉଳା କ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ରଖିଛନ୍ତି । ଅନ୍ୟପକ୍ଷରେ କୌଣସି ଶିବ ମନ୍ଦିରରୁ ନାଗ ମୂର୍ତ୍ତି ଚୋରି ହେବା ନେଇ କୌଣସି ଅଭିଯୋଗ ହୋଇନଥିବା ଫତେଗଡ଼ ଥାନା ଅଧିକାରୀ କହିଛନ୍ତି । ତେଣୁ ଏହି ଘଟଣା ପଛର ପ୍ରକୃତ ସତ୍ୟତା ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି ।

Get real time updates directly on you device, subscribe now.