fbpx

ଶେଷ ମ୍ୟାଚରେ ନେତୃତ୍ୱ ନେବେ ଏହି ଖେଳାଳି: IND vs SA ଦ୍ୱିତୀୟ ଟେଷ୍ଟ ପରେ ନେବେ ଅବସର

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ପରେ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ପଦକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ । ଦ୍ୱିତୀୟ ମ୍ୟାଚରେ ଶେଷ ଥର ପାଇଁ ଅଧିନାୟକ ପଦ ଗ୍ରହଣ କରିବେ ଏହି ଷ୍ଟାର କ୍ରିକେଟର । ଏହି ମ୍ୟାଚ ପରେ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ତେବେ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ଗୋଟିଏ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି । ଏହି ମ୍ୟାଚ ପରେ ଦଳ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି ।

ସୂଚନା ଅନୁସାରେ, ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମା । ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିବାରୁ ଦ୍ୱିତୀୟ ମ୍ୟାଚ ପାଇଁ ସେ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅଧିନାୟକ ପଦ ଷ୍ଟାର ବ୍ୟାଟର ଡିନ୍ ଏଲଗରଙ୍କ କାନ୍ଧରେ ନ୍ୟସ୍ତ କରିଛି ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ । ତେବେ ଭାରତ ବିପକ୍ଷ ଏହି ମ୍ୟାଚ ଏଲଗରଙ୍କ ଶେଷ ଟେଷ୍ଟ ମ୍ୟାଚ ବୋଲି ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି । ଶେଷ ମ୍ୟାଚରେ ତାଙ୍କୁ ନେତୃତ୍ୱ ପ୍ରଦାନ କରିବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି । ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଏହି ଦ୍ୱିତୀୟ ତଥା ଶେଷ ମ୍ୟାଚ ପରେ ଟେଷ୍ଟ କ୍ରିକେଟରୁ ମଧ୍ୟ ବିଦାୟ ନେବେ ଡିନ୍ ଏଲଗର ।

ପ୍ରଥମ ଟେଷ୍ଟରେ ଏଲଗରଙ୍କ ଦମଦାର ଶତକ ବଳରେ ଭାରତ ଉପରେ ଏକ ବଡ଼ ଲିଡ୍ ନେଇ ପାରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ଡିନ୍ ଏଲଗରଙ୍କ ବିସ୍ଫୋରକ ଶତକ(୧୮୫) ଏବଂ ମାକ୍ରୋ ଜାନସେନଙ୍କ ଅର୍ଦ୍ଧଶତକ ଭାରତକୁ ଚକମା ଦେବାରେ ସଫଳ ହୋଇଛି । ଫଳରେ ଭାରତକୁ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଏବଂ ୩୨ ରନରେ ମାତ୍ ଦେଇ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ ଦକ୍ଷିଣ ଆଫ୍ରିକା । ତେବେ ବାରମ୍ବାର ଆହତ ହେଉଥିବାରୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମାଙ୍କୁ ନେଇ ଆଲୋଚନା ହେବାରେ ଲାଗିଛି ।

Get real time updates directly on you device, subscribe now.