fbpx

ରୋହିତ ନୁହେଁ, ଏହି ଖେଳାଳି ହେଲେ କ୍ରିକେଟର ନୂଆ Sixer King: ଛକାରେ ହାସଲ କଲେ ଶତକ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଛକା ମାରିବା ରେକର୍ଡକୁ ଦେଖିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାମ ଖୁବ ଉଚ୍ଚରେ ଦେଖାଯାଏ । କ୍ରିକେଟର ବିଭିନ୍ନ ଫର୍ମାଟରେ ସର୍ବାଧିକ ଛକା ମାରିବାରେ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ରୋହିତଙ୍କ ଏହି କାରନାମାକୁ ପଛରେ ପକାଇ ଦେଇଛନ୍ତି ଆଉ ଜଣେ କ୍ରିକେଟର । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଛକା ମାରିବାରେ ନୂଆ ରେକର୍ଡ ରଚିଛନ୍ତି ଏହି ଖେଳାଳି, ଯେଉଁଥିରେ ସେ ରୋହିତ ଶର୍ମାଙ୍କୁ ମଧ୍ୟ ପଛରେ ପକାଇ ପାଲଟିଛନ୍ତି କ୍ରିକେଟର ନୂଆ ସିକ୍ସର କିଙ୍ଗ ।

ୟୁଏଇର ଷ୍ଟାର କ୍ରିକେଟର ମୁହମ୍ମଦ ୱସିମ ରୋହିତ ଶର୍ମାଙ୍କ ଛକା ରେକର୍ଡକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଥିଲା । କିନ୍ତୁ ଏହି ରେକର୍ଡ ଏବେ ନିଜ ନାମରେ କରିଛନ୍ତି ମୁହମ୍ମଦ ୱସିମ । ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିବା ସହ ସେ ଆଉ ଏକ ବଡ଼ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦ରୁ ଅଧିକ ଛକା ମାରିବାରେ ୟୁଏଇର ପ୍ରଥମ ଖେଳାଳି ପାଲଟିଛନ୍ତି ୱସିମ । ଏହାପୂର୍ବରୁ କୌଣସି ଖେଳାଳି ଏକ ବର୍ଷରେ ୮୦ରୁ ଅଧିକ ଛକା ମାରି ପାରି ନଥିଲେ । ରୋହିତ ଶର୍ମାଙ୍କ ନାମରେ ୮୦ରୁ ଅଧିକ ଛକା ମାରିବାରେ ରେକର୍ଡ ରହିଥିଲା, ଯାହାକୁ ୱସିମ ଅତିକ୍ରମ କରି ସାରିଛନ୍ତି ।

ଗତବର୍ଷ ଅର୍ଥାତ୍ ୨୦୨୩ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ୧୦୧ ଛକା ଲଗାଇଛନ୍ତି । ଏହାସହିତ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହାସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ମୁହମ୍ମଦ ୱସିମ । ତେବେ ତାଲିକାର ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା(୮୦-୨୦୨୩) ରହିଥିବା ବେଳେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ମଧ୍ୟ ରୋହିତ(୭୮- ୨୦୧୯), (୭୪-୨୦୧୮) ରହିଛନ୍ତି । ତେବେ ପଞ୍ଚମ ସ୍ଥାନରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ(୭୨-୨୦୨୨) ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.