fbpx

ଦଳ ଛାଡ଼ିବେ କି ଅଭିନେତା ଅରିନ୍ଦମ? ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଭେଟିଲେ, ବିଜେପିରେ ସାମିଲ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସେନେଇ ଏବେଠାରୁ ରାଜନୈତିକ ପାଣିପାଗରେ ଉଷ୍ଣ ଦେଖିବାକୁ ମିଳିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏନେଇ ଅଙ୍କ କଷିବା ଆରମ୍ଭ କରିଦେବା ସହିତ ନିଜ ନିଜର ସଂଗଠନକୁ ସକ୍ରିୟ କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର । ଓଲିଉଡ ଅଭିନେତା ତଥା ରାଜନେତା ଅରିନ୍ଦମ ରାୟଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି । ଅରିନ୍ଦମ ଦଳ ବଦଳ କରିପାରନ୍ତି ବୋଲି ରାଜନୈତିକ ମହଲରେ ଟୁପୁରୁ ଟାପୁରୁ ଚାଲିଛି । ଗତ ୭ ତାରିଖରେ ଅରିନ୍ଦବ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ସହିତ ଦୁହିଁଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିବା କୁହାଯାଉଛି । ଏହାକୁ ନେଇ କଟକ ରାଜନୀତିରେ ଏକ ବଡ଼ ଧରଣର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେଣୁ ଖୁବଶୀଘ୍ର ଅରିନ୍ଦବ ଦଳ ବଦଳ କରିବା ସହିତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ଗତ ୨୦୦୯ ମସିହାରେ ଅରିନ୍ଦମ ବିଜେଡିରେ ସାମିଲ ହୋଇଥିବା ବେଳେ ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଭଉଣୀଙ୍କୁ ବିବାହ କରିବା ପରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସେ ସାମିଲ ହୋଇଥିଲେ । ସେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଏପରିକି ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ନାନା ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ୨୦୨୨ରେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦ ମିଳିଥିଲା । ତେବେ ସେ ଯଦି ଦଳୀୟ କାମରେ ନ ଆସିବେ ତେବେ ଦଳରେ କାହିଁକି ରହିବେ ବୋଲି ନିକଟରେ ଅରିନ୍ଦମ କହିଥିବା କୁହାଯାଉଛି । ସେ ଦଳୀୟ କାର୍ଯ୍ୟକ୍ରମରେ ଅଧିକ ସକ୍ରିୟ ରହୁନାହାନ୍ତି । ତେଣୁ ରେଳମନ୍ତ୍ରୀଙ୍କୁ ଭେଟିବା ପରେ ଅଭିନେତା ଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.