ଏକଲାପଣକୁ ନେଇ ଚିନ୍ତିତ କି ? ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ..

ଓଡ଼ିଶା ଭାସ୍କର: ଏକଲାପଣ ବ୍ୟକ୍ତିକୁ ଭିତରୁ ଦୁର୍ବଳ କରିଦିଏ । ଫଳରେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏକଲାପଣ (Loneliness) ଅର୍ଥ ଭିଡ଼ ଭିତରେ ବି ନିଜ ଭିତରେ ଶୂନ୍ୟତା ଅନୁଭବ କରିବା । ତେବେ କିଛି ଅଭ୍ୟାସ ଆପଣାଇବା ଦ୍ୱାରା ଏକଲାପଣରୁ ଦୂରେଇ ରହିପାରିବା । ବିଶେଷଜ୍ଞଙ୍କ କହିବାନୁଯାୟୀ ଏକାକୀ ଅନୁଭବ ହେଲେ ନିଜ ପସନ୍ଦର କାର୍ଯ୍ୟ ଯଦ୍ୱାରା ଆପଣ ଖୁସି ଅନୁଭବ କରିବେ । ବହି ପଢ଼ିବା, ଗୀତ ଶୁଣିବା, ପସନ୍ଦର ଫିଲ୍ମ ଦେଖିବା, କେଉଁଆଡ଼େ ବୁଲିବା ପାଇଁ ଯାଇପାରନ୍ତି, ନିଜ ଫେଭ୍ରେଟ୍ ଡିଶ୍ ପ୍ରସ୍ତୁତ କରିବା ଇତ୍ୟାଦି । ଯଦି ଆପଣ ବି ଏକଲାପଣକୁ ନେଇ ଚିନ୍ତିତ ତେବେ ଆପଣାନ୍ତୁ ଏହି ଟିପ୍ସ

୧. ପାର୍ଟ ଟାଇମ୍ ଚାକିରି କରିପାରିବେ । ଏହା ଦ୍ୱାରା ଆପଣ ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସିବେ ଏବଂ ନୂଆ ନୂଆ କଥା ବିଷୟରେ ଜାଣିବେ । ଚିନ୍ତାଗ୍ରସ୍ତ ରହୁଥିବା ମସ୍ତିଷ୍କ ସକ୍ରିୟ ହେବ । କାର୍ଯ୍ୟ ବ୍ୟସ୍ତତା, ସାଙ୍ଗ ସାଥି ଓ ହସ ଗପରେ ସମୟ କିପରି କଟିଯିବ କିଛି ଜଣା ପଡ଼ିବ ନାହିଁ ।

୨. ନିଜ ଉପରେ ବିଶ୍ୱାସ କରନ୍ତୁ । ଅତ୍ମବିଶ୍ୱାସର ଅଭାବ କାରଣରୁ ବ୍ୟକ୍ତି ଏକଲା ଅନୁଭବ କରିଥାଏ । ନିଜ କାର୍ଯ୍ୟ ଦକ୍ଷତାକୁ ନେଇ ସନ୍ଦେହ କରିଥାଏ । ମନେ ରଖନ୍ତୁ ଏପରି କୌଣସି କାର୍ଯ୍ୟ ନାହିଁ ଯାହା ଦୃଢ଼ ଇଚ୍ଛା ଶକ୍ତି ବିନା ପୂରଣ ହେବ ନାହିଁ । ନିଜ ସ୍ୱପ୍ନକୁ ପୁରା କରିବା ପାଇଁ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

୩. ଡାଏରୀ ଲେଖିବା ହେଉଛି ଏକ ଭଲ ଅଭ୍ୟାସ । ଆପଣଙ୍କ ମନରେ ଥିବା କୌଣସି କଥା କାହାକୁ ନ କହି ପାରିଲେ ଗୋଟିଏ ଡାଏରୀରେ ଲେଖି ରଖନ୍ତୁ । ଅପଣଙ୍କ ମନ ହାଲୁକା ହୋଇଯିବ ।

୪. ଜୀବନରେ ପରିବାର ଓ ସାଙ୍ଗସାଥିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ସେମାନଙ୍କ ସହ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ମନରେ ସକାରାତ୍ମକ ଉର୍ଜ୍ଜା ଭରି ଦେବା ସହ ଅବସାଦ ମୁକ୍ତ ରଖିଥାଏ ।

୫. ଏକଲାପଣକୁ ଦୂରେଇବା ପାଇଁ ସୋସିଆଲ ମିଡ଼ିଆକୁ ‘ନୋ’ କୁହନ୍ତୁ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସୋସିଆଲ ମିଡ଼ିଆରେ ସମସ୍ତେ ନିଜ ଫେକ୍ ଲାଇଫ୍କୁ ପ୍ରଦର୍ଶିତ କରିଥାନ୍ତି ଯାହାକୁ ଦେଖି ଆମେ ଚିନ୍ତାଗ୍ରସ୍ତ ରହିଥାଉ ।

୬. ଯେତେଦୂର ସମ୍ଭବ ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ସେମାନେ ସବୁବେଳେ ଆପଣଙ୍କୁ ଭୁଲ ଉପଦେଶ ସହ ମିଛ ଆଶ୍ୱାସନା ଦେବେ । ତେଣୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ସମୟ ଅତିବାହିତ କରନ୍ତୁ ।