fbpx

୭୩ ବର୍ଷ ପରେ ଭାରତ ଜିତିଲା ସ୍ୱର୍ଣ୍ଣ ପଦକ: ମାନ ସିଂହ ଦ୍ୱିତୀୟ ଭାରତୀୟ ଭାବେ ଏସିଆନ୍ ମାରାଥନରେ ଚାମ୍ପିୟନ ହେଲେ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ୭୩ ବର୍ଷ ପରେ ଏସିଆନ ମାରାଥନରେ ଭାରତ ଚାମ୍ପିୟନ ହୋଇଛି । ଦ୍ୱିତୀୟ ଭାରତୀୟ ଭାବେ ମାନ ସିଂହ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି । ହଂକଂ ଠାରେ ଚାଲିଥିବା ଏସିଆନ ମାରାଥନ ଚାମ୍ପିୟନଶିପରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ୱିତୀୟ ଓ କାଜାଖସ୍ଥାନ ତୃତୀୟ ସ୍ଥାନ ଅଧିକାର କରିଥିଲା ।

ଭାରତୀୟ କ୍ରୀଡ଼ାବିତ ମୋଟ ୨:୧୪:୧୯ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିବା ସହ ଇତିହାସ ରଚିଛନ୍ତି । ଏହା ପୂର୍ବରୁ ଭାରତ ଗତ ୧୯୮୨ ମସିହାରେ ଏସିଆନ ମାରାଥନରେ ପଦକ ଜିତିଥିଲା । ସେହିପରି ୭୩ ବର୍ଷ ପୂର୍ବରୁ ୧୯୫୧ ମସିହାରେ ଭାରତ ଏସିଆନ ମାରାଥନରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା । ଦୀର୍ଘ ୭ ଦଶନ୍ଧିର ପ୍ରତିକ୍ଷା ପରେ ଭାରତ ଏସିଆନ ମାରାଥନରେ ପୁଣି ଥରେ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ସକ୍ଷମ ହୋଇଛି ।

୨୦୨୩ ଏସିଆନ ଗେମ୍ସରେ ଭାରତର ମାନ ସିଂହ ୮ମ ସ୍ଥାନ ଅଧିକାର କରିଥିଲେ । ସେହିପରି ଅନ୍ୟ ଭାରତୀୟ ଖେଳାଳି ବୋଲିୟପ୍ପା ଓପ୍ପାଚାଙ୍ଗଦା ୧୮ ଜଣ ଆଥଲେଟସଙ୍କ ମଧ୍ୟରେ ୧୨ତମ ସ୍ଥାନ ହାସଲ କରିଥିଲେ । ୧୯୮୨ରେ ଏସିଆନ୍ ଗେମ୍ସରେ ଭାରତ ଶେଷ ଥର ପାଇଁ ପଦକ ଜିତିଥିଲା । ହୋସୁର କୁକ୍କପ୍ପା ସୀତାରଣ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୫୧ରେ ଛୋଟା ସିଂହ ସ୍ୱର୍ଣ୍ଣ ପଦକ ଓ ସୂତର ସିଂହ ମଟୁର ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୩ରେ ମାନ ସିଂହ ୨ ଘଣ୍ଟା ୧୬ ମିନିଟ ଓ ୫୯ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିବା ସହ ୮ମ ସ୍ଥାନରେ ରହିଥିଲେ । ମାତ୍ର ଏଥର ୩୫ ବର୍ଷୀୟ ମାନ ୨ ଘଣ୍ଟା ୧୪ ମିନିଟ ଓ ୧୯ ସେକେଣ୍ଡରେ ରେସ୍ ସମାପ୍ତ କରି ସ୍ୱର୍ଣ୍ଣ ନିଜ ନାମରେ କରିଥିଲେ ।

Get real time updates directly on you device, subscribe now.