ଯଶବନ୍ତ ସିଂହଙ୍କୁ କାହିଁକି କୁହାଯାଏ ବାଜପେୟୀଙ୍କ ହନୁମାନ? ଜାଣନ୍ତୁ, ଏହା ପଛରେ ଥିଲା ଏଭଳି ରୋଚକ କାହାଣୀ

ନୂଆଦିଲ୍ଲୀ: ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ବେଶ ଭଲ ଭାବେ ଜଣା ଯେ, ଯଶବନ୍ତ ସିଂହଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ହନୁମାନ କୁହାଯାଉଥିଲା। ଯେଉଁ ସମୟରେ ଦେଶରେ ବାଜପେୟୀଙ୍କ ସରକାର ଥିଲା, ସେହି ସମୟରେ ଦେଶ ଏକ ଭିନ୍ନ ସ୍ଥିତି ଦେଇ ଗତି କରୁଥିଲା। ଭାରତ ଆଣବିକ ସଂପନ୍ନ ଦେଶ ହେବାର ଥିଲା। କାରଗିଲ ଯୁଦ୍ଧରେ ବିଜୟ ହେଉ କି ଆମେରିକା ସହ ଦ୍ଵିପାକ୍ଷିକ ସଂପର୍କରେ ସୁଧାର ଆସିବାର କଥା ହେଉ। ଭାରତ ପରମାଣୁ ବୋମା ପରୀକ୍ଷଣ କରିଥିବାରୁ ସେହି ସମୟରେ ଦୁନିଆର ଅନେକ ଦେଶର ଦୃଷ୍ଟିରେ ଥିଲା। ଏମିତିରେ ଆମେରିକାକୁ ମନାଇବା, କଟକଣା ହଟାଇବା ଏବଂ ଦୁନିଆର ଅନ୍ୟ ଦେଶକୁ ଏହା ବୁଝାଇବାର ଥିଲା ଯେ ଆମର ପରମାଣୁ ପରୀକ୍ଷଣ କେବଳ ନିଜକୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ, କାହା ଉପରେ ଆକ୍ରମଣ ପାଇଁ ନୁହେଁ। ଏତେ ସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଯଶବନ୍ତ ସିଂହଙ୍କୁ ଦିଆଯାଇଥିଲା। ଏପରିକି ପରମାଣୁ ପରୀକ୍ଷଣକୁ ବିଜେପିର ସହଯୋଗୀ ଦଳ ମଧ୍ୟ ବିରୋଧ କରିଥିଲେ। ମେଣ୍ଟ ସରକାରରେ ଜୟଲଳିତାଙ୍କୁ ମନାଇବା ପାଇଁ ଯଶବନ୍ତ ସିଂହଙ୍କୁ ବାରମ୍ବାର ଦକ୍ଷିଣ ଭାରତ ଯାତ୍ରା କରିବାକୁ ପଡୁଥିଲା। ବାରମ୍ବାର ଦେଶ ଏବଂ ବିଦେଶକୁ ଉଡାଣ ଭରୁଥିବା କାରଣରୁ ଯଶବନ୍ତ ସିଂହଙ୍କୁ ବାଜପେୟୀଙ୍କ ହନୁମାନ କୁହାଯାଉଥିଲା।

ଲୋକସଭା ନିର୍ବାଚନରେ ଗେହଲଟଙ୍କୁ ହରାଇଥିଲେ:-
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିଂହ ୧୯୮୯ରେ ଲୋକସଭା ନିର୍ବାଚନ ଯୋଧପୁର ସଂସଦୀୟ କ୍ଷେତ୍ରରୁ ଲଢିଥିଲେ। ଏହି ନିର୍ବାଚନରେ କଂଗ୍ରେସ ପକ୍ଷରୁ ମଇଦାନରେ ଥିଲେ ଅଶୋକ ଗେହଲଟ। ଯଶବନ୍ତ ଅଶୋକ ଗେହଲଟଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସେହି ସମୟରେ ଗେହଲଟ୍ ଦୁଇ ଥରର ସାଂସଦ ଥିଲେ। ଏହା ପରେ ଯଶବନ୍ତ ସିଂହ ଚିତୌଗଡରୁ ତିନି ଥର ଲଗାତାର ନିର୍ବାଚନ ଲଢିଥିଲେ। ୧୯୯୧ରେ ମହେନ୍ଦ୍ର ସିଂହ ମେଓ୍ଵାଡଙ୍କୁ ୧୮ ହଜାର ଭୋଟରେ ହରାଇଥିଲେ। ପୁଣି ୧୯୯୬ରେ ଗୁଲଉାବସିଂହ ଶକ୍ତାବତଙ୍କୁ ୪୮ ହଜାର ଭୋଟରେ ହରାଇଥିଲେ। ୧୯୯୬ ନିର୍ବାଚନରେ ବାଜପେୟୀଙ୍କ ୧୩ ଦିନର ସରକାର ଚାଲିଥିଲା ଏବଂ ଯଶବନ୍ତ ସିଂହଙ୍କୁ ଅର୍ଥ ମନ୍ତ୍ରୀ କରାଯାଇଥିଲା। ୧୯୯୮ରେ ଦେଶରେ ପୁଣି ଥରେ ନିର୍ବାଚନ କରିବାକୁ ପଡିଥିଲା। ଯଶବନ୍ତ ସିଂହ ପୁଣି ଥରେ ଚିତୌଗଡରୁ ନିର୍ବାଚନୀ ମଇଦାନରେ ଥିଲେ। ମାତ୍ର ଯଶବନ୍ତ ନିର୍ବାଚନ ଜିତି ସଂସଦ ପହଞ୍ଚି ପାରିନଥିଲେ। ଅଭିଯୋଗ ହୋଇଥିଲା ଯେ, ଚିତୌଗଡ ସଂସଦୀୟ କ୍ଷେତ୍ରରେ ସିଂହଙ୍କୁ ହରାଇବା ପାଇଁ ମୁମ୍ବାଇରୁ ଷଡଯନ୍ତ୍ର ରଚାଯାଇଥିଲା। ଗେହଲଟ ସରକାରଙ୍କ ଉଦୟଲାଲ ଆଞ୍ଜନାଙ୍କଠୁ ଯଶବନ୍ତ ସିଂହ ପ୍ରାୟ ୨୫ ହଜାର ଖଣ୍ଡ ଭୋଟରେ ହାରିଥିଲେ।

ଦେଶହିତ ପାଇଁ ଆତଙ୍କବାଦୀଙ୍କୁ ଛାଡିବାକୁ ହୋଇଥିଲେ ବିବଶ:-
୧୯୯୯ ଡିସେମ୍ବର ୨୪ରେ ଇଣ୍ଡିଆନ ଏୟାରଲାଇନର ବିମାନ ଆଇସି ୮୧୪ କାଠମାଣ୍ଡୁରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ମାତ୍ର ମଝି ଆକାଶରେ ଆତଙ୍କବାଦୀଙ୍କ ଦ୍ଵାରା ବିମାନକୁ ହାଇଜ୍ୟାକ୍ କରାଯାଇଥିଲା। ଅମୃତସର, ଲାହୋର ଏବଂ ଦୁବାଇ ଦେଇ ଶେଷରେ ବିମାନ ଆଫଗାନିସ୍ତାନର କାନ୍ଧାର ବିମାନ ବନ୍ଦରରେ ପହଞ୍ଚିଥିଲା। ସେହି ସମୟରେ ସେଠାରେ ତାଲିବାନ ଶାସନ ଚାଲିଥିଲା। ଗୋଟିଏ ସମୟ ଥିଲା ଯେ, ଭାରତ ସରକାର ମନସ୍ଥ କରି ସାରିଥିଲେ ଯେ, ଆତଙ୍କବାଦୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ। ସେ ଯେତେ ବଡ ବଳିଦାନ ଦେବାକୁ ପଡୁନା କାହିଁକି। ମାତ୍ର ସରକାରଙ୍କ ଉପରେ ଜନତାଙ୍କ ଚାପ ବଢିବାରେ ଲାଗିଲା। ଆତଙ୍କବାଦୀ ଆରମ୍ଭରୁ ହିଁ ବଡ ଦାବି ରଖିଥିଲେ। ୩୫ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ସହ ୨୦୦ ମିଲିୟନ ଆମେରିକୀୟ ଡଲାର। ସେହି ସମୟରେ ଯଶବନ୍ତ ସିଂହ ବୈଦେଶିକ ମନ୍ତ୍ରୀ ଥିଲେ। ଆଉ ତାଙ୍କ ଉପରେ ସବୁଠୁ ବଡ ଦାୟିତ୍ଵ ଥିଲା ଯେ, ଦେଶ ଏବଂ ଦୁନିଆର ମନରେ ବିଶ୍ଵାସ ଜନ୍ମାଇବା। ତାଲିବାନ ସହ ଚୁକ୍ତିନାମା ବି କରିବାର ଥିଲା। ପୁଣି କୌଣସି ସ୍ଥିତିରେ ବି ତାଲିବାନ ସରକାରକୁ ମାନ୍ୟତା ନଦେବା ବି ଥିଲା। ଲମ୍ବା ସମୟ ଆଲୋଚନା ଏବଂ ବିଚାର ବିମର୍ଶ ପରେ ୩ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା। ପ୍ରଶ୍ନ ଥିଲା ଯେ, ଉକ୍ତ ତିନି ଆତଙ୍କବାଦୀଙ୍କୁ ନେଇ ତାଲିବାନର ମାଟି ଆଫଗାନିସ୍ତାନକୁ ଯିବ କିଏ ? କିଏ ଏହି ବଦନାମୀର କଳଙ୍କ ନିଜ ମୁଣ୍ଡରେ ବା ବୋଳିବ। କିଏ ଆତଙ୍କବାଦୀଙ୍କ ସହ ମିଶି ନିଜ ଦେଶବାସୀଙ୍କୁ ସ୍ଵଦେଶ ଫେରାଇ ଆଣିବାର ବିପଦଜ୍ଜନକ ଦାୟିତ୍ଵ ଉଠାଇବ। ଶେଷରେ ଯଶବନ୍ତ ସିଂହ ଆଗକୁ ଆସିଥିଲେ। ସେ କାନ୍ଧାର ଗଲେ ଏବଂ ମିଶନକୁ ପୂରା କରି ଫେରିଲେ। ଏବେ ଜୀବନସାରା ଆତଙ୍କବାଦୀଙ୍କ ସହ ସାଲିସ୍ କରିବାର ବଦନାମିକୁ ବି ସହି ଚାଲିଲେ। ମାତ୍ର ଦେଶ ହିତ ପାଇଁ ସେହି ସମୟରେ ଯାହା ପ୍ରଯ୍ୟୁଜ ଥିଲା ସେ ତାହା ହିଁ କରିଥିଲେ। ତାଙ୍କର ପାରିବା ପଣିଆ ପାଇଁ ତାଙ୍କୁ ବାଜପେୟୀଙ୍କ ହନୁମାନ ବୋଲି କୁହାଯାଏ। ଯଥାର୍ଥରେ ବାସ୍ତବରେ ସେ ହିଁ ହନୁମାନଙ୍କ ଭୂମିକା ନିର୍ବାହ କରିଥିଲେ।