fbpx

AIIMS ପକ୍ଷରୁ ବଡ଼ ନିଷ୍ପତ୍ତି: ହସ୍ପିଟାଲରେ ଚଳିବନି କ୍ୟାଶ, କାର୍ଡରେ କରିବାକୁ ପଡ଼ିବ ସବୁ ପ୍ରକାର ପେମେଣ୍ଟ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ହସ୍ପିଟାଲରେ ଆଉ କ୍ୟାଶ ପେମେଣ୍ଟ ଚଳିବନି । କାର୍ଡ ମାଧ୍ୟମରେ ସମସ୍ତଙ୍କୁ ପେମେଣ୍ଟ କରିବାକୁ ପଡ଼ିବ । ଏମ୍ସ ପ୍ରଶାସନ ରୋଗୀଙ୍କୁ ସ୍ମାର୍ଟ କାର୍ଡ ସୁବିଧା ପ୍ରଦାନ କରିବେ । ଏହି ନୂଆ ନିୟମ ଲାଗୁ ହେବା ପରେ ଏଣିକି ରୋଗୀଙ୍କ ଯାଞ୍ଚ, ଆଡମିଶନ ବା ସର୍ଜରୀ ପାଇଁ ଆଉ କ୍ୟାଶ ଜମା କରିବାକୁ ପଡ଼ିବନି ।

ସୂଚନା ମୁତାବକ, ଦିଲ୍ଲୀ ଏମ୍ସ ପକ୍ଷରୁ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାଶ ପେମେଣ୍ଟ ହଟିଯିବା ପରେ ଏଣିକି ଏମ୍ସରେ ଚିକିତ୍ସିତ ହେବାକୁ ଥିବା ସମସ୍ତ ରୋଗୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ । କାର୍ଡ ମିଳିବା ପରେ ଏମ୍ସର ଯେ କୌଣସି ବିଭାଗରେ ପେମେଣ୍ଟ କରିବା ପାଇଁ କ୍ୟାଶ ଚଳିବନି । ଏମ୍ସ ନିର୍ଦ୍ଦେଶକ ଏନେଇ ଏକ ଆଦେଶ ଜାରି କରି ସୂଚନା ଦେଇଛନ୍ତି ।

ମାର୍ଚ୍ଚ ମାସ ୩୧ ତାରିଖ ଠାରୁ ଏମ୍ସରେ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଯିବ । ଏହା ଲାଗୁ ହେବା ପରେ ରୋଗୀଙ୍କୁ ଆଡମିଟ୍ କରିବା ବା ସର୍ଜରୀ କରିବା ପାଇଁ କ୍ୟାଶ ଗ୍ରହଣ କରାଯିବ ନାହିଁ । ସମସ୍ତ ପ୍ରକାରର ପେମେଣ୍ଟ କେବଳ ସ୍ମାର୍ଟ କାର୍ଡ ମାଧ୍ୟମରେ କରାଯିବ । ଏହି ସ୍ମାର୍ଟ କାର୍ଡକୁ ରିଚାର୍ଜ କରିବା ପାଇଁ ରୋଗୀଙ୍କୁ ଏମ୍ସ ପକ୍ଷରୁ ସୁବିଧା ପ୍ରଦାନ କରାଯିବ । ସେଥିପାଇଁ ଏମ୍ସରେ ଅଲଗା ଅଲଗା ସ୍ଥାନରେ ଟପ୍ ଅପ୍ କେନ୍ଦ୍ର ଖୋଲାଯିବ । ଲୋକମାନେ ଅନଲାଇନରେ ପେମେଣ୍ଟ କରି ସ୍ମାର୍ଟ କାର୍ଡ ନେଇ ପାରିବେ ଓ ରିଚାର୍ଜ ମଧ୍ୟ କରିପାରିବେ । ଏହି କାର୍ଡରେ ଅନ୍ୟ ସ୍ଥାନରେ ଜଳଖିଆ ବା ଭୋଜନ ଖାଇବା ପାଇଁ ମଧ୍ୟ ବ୍ୟବହାର କରିହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସହଯୋଗରେ ଏମ୍ସ ରୋଗୀ ଓ ତାଙ୍କର ଆଟେଣ୍ଡାଣ୍ଟଙ୍କ ପାଇଁ ସ୍ମାର୍ଟ କାର୍ଡ ସୁବିଧା ଆରମ୍ଭ କରିବେ ।

Get real time updates directly on you device, subscribe now.