fbpx

ଦିଲ୍ଲୀ ଏୟାରପୋର୍ଟରେ ଆଲର୍ଟ: ଦରଭଙ୍ଗା-ଦିଲ୍ଲୀ ଫ୍ଲାଇଟକୁ ବମରେ ଉଡ଼ାଇଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଜିଆଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ୍ ଆସିବା ପରେ ଅଚାନକ ଚାରିଆଡ଼େ ହଡ଼କମ୍ପ ସୃଷ୍ଟି ହୋଇଥିଲା । ଦରଭଙ୍ଗାରୁ ଦିଲ୍ଲୀ ଆସୁଥିବା ସ୍ପାଇସଜେଟର ଫ୍ଲାଇଟକୁ ବମରେ ଉଡ଼ାଇଦେବାକୁ ଧମକ ମିଳିଥିଲା । ଏହାପରେ ଏୟାରପୋର୍ଟକୁ ସମ୍ପୂର୍ଣ୍ଣ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ଏହି ଫ୍ଲାଇଟ୍ ଆଇଜିଆଇ ଏୟାରପୋର୍ଟରେ ଅବତରଣ କରିବାର ଥିଲା । ତେବେ ଯାଞ୍ଚ ସମୟରେ ତାହା ଏକ ଫେକ୍ କଲ୍ ଥିଲା ବୋଲି ଜଣାପଡ଼ିଥିଲା ।

ଏନେଇ ସ୍ପାଇସଜେଟର ମୁଖପାତ୍ର କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇଥିଲା । ସ୍ପାଇସଜେଟର ଫ୍ଲାଇଟ ଏସଜି ୮୯୪୬କୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଫ୍ଲାଇଟକୁ ସନ୍ଧ୍ୟା ୬ଟା ସମୟରେ ଆଇଜିଆଇ ଏୟାରପୋର୍ଟରେ ଅବତରଣ କରାଯାଇଥିଲା । ଏହାପରେ ବିମାନକୁ ଏକ ଅଲଗା ସ୍ଥାନକୁ ନିଆଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା । ତା’ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ବିମାନକୁ ଟିକିନିଖି ଭାବେ ତଲାସୀ ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ମୁମ୍ବାଇର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ସେହି ଧମକ ଏକ ଇ-ମେଲ ଜରିଆରେ ଆସିଥିଲା । ମେଲ ପଠାଇଥିବା ବ୍ୟକ୍ତି ଜଣଙ୍କ ଉକ୍ତ ଧମାକା ନ କରିବା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଟକଏନରେ ୧୦ ଲକ୍ଷ ଡଲାର ମାଗିଥିଲେ । ଯଦି ବିଟକଏନରେ ଉକ୍ତ ରାଶି ଦିଆନଯାଏ ତେବେ ପରିସ୍ଥିତି ଖରାପ ହେବ ବୋଲି ବ୍ୟକ୍ତିଜଣଙ୍କ କହିଥିଲେ । ସେହିପରି ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ଦିଲ୍ଲୀ ଏୟାରପୋର୍ଟରେ ଦିଲ୍ଲୀ-ପୁଣେ ଭିସ୍ତାରା ଫ୍ଲାଇଟକୁ ବମରେ ଉଡ଼ାଇ ଦେବାକୁ ନେଇ ହଡ଼କମ୍ପ ମଚିଯାଇଥିଲା । ଏହାପରେ ବିମାନକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ମିଳିନଥିଲା ।

Get real time updates directly on you device, subscribe now.