fbpx

ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ: ଅଚାନକ ବେହୋସ୍ ହୋଇଗଲେ ତେଲେଙ୍ଗାନାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସାରା ଭାରତବର୍ଷରେ ୭୫ତମ ସାଧାରଣତନ୍ତ୍ର ଦିବସ ବଡ଼ ଧୁମଧାମରେ ପାଳିତ ହେଉଛି । ଏହି ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସାମିଲ ହୋଇଥିଲେ । ଦେଶର ୧୦୦ ଜଣ ମହିଳା କଳାକାର ପାରମ୍ପରିକ ବାଦ୍ୟ ବଜାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବ ଶେଷରେ ରାଫେଲ ବିମାନ ଦ୍ୱାରା ବିଜୟ ଉତ୍ସବ ଆୟୋଜିତ ହୋଇଥିଲା ।

ତେବେ ଆଜିର ଏହି ପବିତ୍ର ଦିବସରେ ଘଟିଯାଇଛି ଏକ ବଡ଼ ଅଘଟଣ । ତେଲେଙ୍ଗାନାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହମୁଦ ଅଲୀ ଅଚାନକ ଉତ୍ସବ ସ୍ଥଳରେ ବେହୋସ ହୋଇଯାଇଥିଲେ । ହାଇଦ୍ରାବାଦ ସ୍ଥିତ ତେଲେଙ୍ଗାନା ଭବନରେ ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ସାମିଲ ହେବା ପାଇଁ ଶ୍ରୀ ଅଲୀ ସେଠାରେ ପହଞ୍ଚିଥିଲେ । ମାତ୍ର ସେଠାରେ ସେ ଅଚାନକ ବେହୋସ୍ ହେବା ସହ ତଳେ ପଡ଼ିଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ତଳେ ଉଠାଇ ହସ୍ପିଟାଲକୁ ନେଇଥିଲେ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ମହମୁଦ କେସିଆରଙ୍କ ପାର୍ଟି ବିଆରଏସର ନେତା ଅଟନ୍ତି । ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ରହିଥିଲେ । କେସିଆରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସେ ରାଜ୍ୟ ଗୃହ ବିଭାଗ, ଜଳ ଓ ଅଗ୍ନିଶମ ସେବା ମନ୍ତ୍ରୀ ପଦରେ ରହିଥିଲେ । ମହମୁଦ କିଛି ବିବାଦରେ ମଧ୍ୟ ଜଡ଼ିତ ଥିଲେ । ତେଲେଙ୍ଗାନାର ଗୃହ ମନ୍ତ୍ରୀ ଥିବା ସମୟରେ ସେ ମହିଳାଙ୍କୁ ନେଇ ଏକ ବୟାନ ଦେଇଥିଲେ । ତାହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଛୋଟ କପଡ଼ା ପିନ୍ଧିବା ମହିଳାଙ୍କ ପାଇଁ ସମସ୍ୟା ହୋଇପାରେ ବୋଲି ସେ ବୟାନ ଦେଇଥିଲେ । ସେହିପରି ୨୦୨୩ରେ ଶ୍ରୀ ଅଲୀ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.