fbpx

ଆରମ୍ଭ ହେବ ଓଡ଼ିଆ ଭାଷାର ଗୌରବ ଗାଥା ପଦଯାତ୍ରା; ଓଡ଼ିଆ ଭାଷା-ସଂସ୍କୃତି ସହ ଯୋଡ଼ିହେବେ ପର୍ଯ୍ୟଟକ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ଆରମ୍ଭ ହେଉଛି ଏକାମ୍ର ଉତ୍ସବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆସନ୍ତା ୩ରୁ ୯ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଆଧାରରେ ଜାନୁଆରୀରୁ ଆରମ୍ଭ ହୋଇଥିବା ଏକାମ୍ର ୱାକ୍ସରେ ନୂଆ କରି ଭାଷା ସମ୍ମିଳନୀ ପାଇଁ ‘ ଓଡିଆ ଭାଷାର ଗୌରବ ଗାଥା’ ପଦଯାତ୍ରା ଯୋଡ଼ି ହେଉଛି। ଯାହା କାଲିଠାରୁ ଆରମ୍ଭ ହେଉଛି। ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଦଯାତ୍ରା ୨ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏକାମ୍ର ୱାକ୍ସରେ ଆମ ସଂସ୍କୃତି ଆମ ଐତିହ୍ୟ, ‘ପ୍ରକୃତିର ପଦଯାତ୍ରା’, ‘ଓଡ଼ିଆ ଖାଦ୍ୟ ପସରା’, ‘କୋମଳ ମନର କୌତୁହଳ ଯାତ୍ରା’ ଭଳି ପଦଯାତ୍ରା ରହିଛି।

ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷା ଅନ୍ୟତମ। ପ୍ରାୟ ଚାରି ସହସ୍ର ବର୍ଷର ଓଡିଆ ଭାଷା ଏବଂ ସାହିତ୍ୟର ଇତିହାସ ସମୟ ସହିତ ଏକ ଆକର୍ଷଣୀୟ ଯାତ୍ରା। ଭାଷା କେବଳ ପୁସ୍ତକ ଏବଂ ପାଣ୍ଡୁଲିପି ମାଧ୍ୟମରେ ନୁହେଁ ବରଂ ମୌଖିକ ଭାବେ ବଞ୍ଚେ। ତେଣୁ ଏହି ଟ୍ରେଲ ମାଧ୍ୟମରେ ପାଦରେ ଚାଲି ଚାଲି ଭୁବନେଶ୍ୱର ମନ୍ଦିରରେ ଥିବା କୀର୍ତ୍ତିରାଜି, ଓଡ଼ିଶାର ଅତୀତ ଇତିହାସ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିବାକୁ ପାଇବେ। କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପଦଯାତ୍ରା ଅପରାହ୍ନ ୩ଟାରେ ଆରମ୍ଭ ହେବ। ଖଜୁରୀ ପତ୍ରରେ କିଭଳି ଓଡିଆ ଭାଷା ଲେଖାଯାଉଥିଲା, ତାଳପତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଯାତ୍ରୀମାନେ ଜାଣିବାକୁ ପାଇବେ। ଏଥିସହ ଓଡ଼ିଶାର ପୁରୁଣା ଖବରକାଗଜ ବିଷୟମରେ ମଧ୍ୟ ଜାଣିବାର ସୁଯୋଗ ମିଳିବ। ଅପରାହ୍ନ ୩ଟା ୩୦ରେ ବିନ୍ଦୁସାଗର କୂଳରେ ଏକ ଚିତ୍ତାକର୍ଷକ ପାଲା ପ୍ରଦର୍ଶନ ହେବ।

ପାଲା ଗାୟକଙ୍କ ନେତୃତ୍ୱରେଏହି ଦଳରେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଓଡିଆ ସାହିତ୍ୟର ପ୍ରମୁଖ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତାକୁ ଶୁଣିବାକୁ ମିଳିବ।  ୪ଟା ୧୫ରେ ଐତିହାସିକ ଅନ୍ତର୍ନିହିତ ପଦଯାତ୍ରା: ବିନ୍ଦୁସାଗର। ଓଡ଼ିଶାର ଇତିହାସ ଓ ଓଡ଼ିଆ ଭାଷାର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ୪ଟା ୪୫ରେ ତାଳେଶ୍ୱର ମନ୍ଦିରଠାରେ ଭୀମ ଭୋଇଙ୍କ କବିତା ପାଠ ହେବ। ସୋନପୁରର ଉନ୍ନବିଂଶ ଶତାବ୍ଦୀର ସାଧୁ-କବି ଭୀମ ଭୋଇଙ୍କ ଦ୍ୱାରା ପ୍ରଚାରିତ ମହିମା ସମ୍ପ୍ରଦାୟ ଦ୍ୱାରା ଖଞ୍ଜଣି ଭଜନ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ୧୫ରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯାତ୍ରୀମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ ଶୁଣିବାକ ପାଇବେ। ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ପାରମ୍ପରିକ ବାଦ୍ୟଯନ୍ତ୍ର ମର୍ଦ୍ଦଳ ସହ ସଙ୍ଗୀକତ ଉପସ୍ଥାପନ ହେବ। ଓଡ଼ିଶୀ ନୃତ୍ୟଶୀଳ୍ପିଙ୍କ ନୃତ୍ୟ ତାଳେ ତାଳେ କାର୍ଯ୍ୟକ୍ରମ ସମାପ୍ତ ହେବ। ପର୍ଯ୍ୟଟକମାନେ ନୃତ୍ୟଶୀଳ୍ପିଙ୍କଠାରୁ ଡ଼ିଶୀ ସମପ୍ରକରେ ମଧ୍ୟ ଜାଣିବାକୁ ପାଇବେ। ସା ୬ରେ ସମସ୍ତେ ପୁଣି ଆସି ଏକାମ୍ର ହାଟରେ ପହଞ୍ଚିବେ।  ଏହି ଟ୍ରେଲରେ ଯୋଡ଼ି ହେବା ପାଇଁ ଏକାମ୍ରୱାକ୍ସ ୱେବସାଇଟ୍‌ରେ ଅଧିକ ତଥ୍ୟ ରହିଛି। ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ବୁକ ହୋଇପାରିବ।

Get real time updates directly on you device, subscribe now.