fbpx

ICC U-19 World Cup: ନେପାଳକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୟୁ-୧୯ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ନେପାଳକୁ ୧୩୨ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୬ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୨୯୭ ରନ୍ ସଂଗ୍ରହ କରିଥିବା ବେଳେ ନେପାଳ ୯ ୱିକେଟ ହରାଇ ମାତ୍ର ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଭାରତୀୟ ଅଧିନାୟକ ଉଦୟ ସହାରଣ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଦୟ ଓ ସଚିନ ଧାସଙ୍କ ଶତକୀୟ ଇନିଂସ ବଳରେ ଭାରତ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇପାରିଥିଲା । ଏକଦା ୬୨ ରନରେ ୩ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିବା ଟିମ୍ ଇଣ୍ଡିଆ ପାଇଁ ଉଦୟ-ସଚିନଙ୍କ ଯୋଡ଼ି ସଙ୍କଟମୋଚକ ସାଜିଥିଳେ । ନେପାଳ ପକ୍ଷରୁ ଗୁଲସନ ଝା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

୨୯୮ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନେପାଳ ମାତ୍ର ୭୭ ରନରେ ୭ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ୩୫ ରନ୍ ଟପିପାରି ନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ସୌମି ପାଣ୍ଡେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ପରାଜୟ ଫଳରେ ନେପାଳର ସେମି ଖେଳିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ୟୁ-୧୯ ବିଶ୍ୱକପ ଇତିହାସରେ ଭାରତ ସବୁଠାରୁ ସଫଳ ଟିମ୍ ଭାବେ ପରିଗଣିତ ହୋଇଛି । ଗତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତ ବିଶ୍ୱକପ୍ ଜିତିଥିଲା । ଏଥିସହିତ ଦଳ ୨୦୧୬ ଓ ୨୦୨୦ରେ ଉପବିଜେତା ହୋଇଥିଲା । ତେଣୁ ଏଥର ଭାରତ ଷଷ୍ଠ ଥର ପାଇଁ ଚାମ୍ପିୟନ ହେବାକୁ ପ୍ରୟାସ କରିବ ।

Get real time updates directly on you device, subscribe now.