fbpx

ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା UCC: ଆଗକୁ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶ ସ୍ୱାଧୀନତା ଲାଭ କରିବା ପରେ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକା ସଂହିତା (ୟୁସିସି) ବିଲ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ୟୁସିସି ଲାଗୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଥିବା ବେଳେ ଏବେ ସେ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ଗତ ୪ ତାରିଖରେ ରାଜ୍ୟ କ୍ୟାବିନେଟରେ ୟୁସିସି ଡ୍ୟାଫ୍ଟକୁ ମଞ୍ଜୁରୀ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀମାନେ ଏହା ଉପରେ ଚର୍ଚ୍ଚା କରିଥିଲେ । ବିଧାନସଭା ଅଧିବେଶନରେ ଏହି ବିଲକୁ ଆଗତ କରାଯିବ ବୋଲି କୁହାଯାଇଥିଲା ।

ଏହି ବିଲ ବିଧାନସଭାରେ ଆଗତ ହେବା ପରେ ତାହା ଆଇନରେ ପରିଣତ ହୋଇଯିବ । ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ । ତେବେ ରାଜ୍ୟରେ ୟୁସିସି ଲାଗୁ ହେବା ଫଳରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ବିବାହ, ପତି-ପତ୍ନୀଙ୍କ ସମ୍ପର୍କ, ଅନାଥ ଶିଶୁଙ୍କୁ ଗ୍ରହଣ କରିବା, ବିବାହ ପଞ୍ଜିକରଣ, ଲିଭ-ଇନ-ରିଲେସନଶିପ ଆଦିକୁ ନେଇ ଆଇନରେ ଅନେକ ପରିବର୍ତ୍ତନ ହୋଇଯିବ ।

ବହୁବିବାହ ଉପରେ ରୋକ ଲାଗିବ । ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହୋଇଯିବ । ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ । ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ । ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା । ଉତ୍ତରାଧିରରେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ । ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ । ଲିଭ-ଇନରେ ରହୁଥିବା ଲୋକଙ୍କୁ ପିତା-ମାତାଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ । ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ପାରନ୍ତି । ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ପିତାମାତଙ୍କ ଭରଣପୋଷଣ ଦାୟିତ୍ୱ ପତ୍ନୀ ବହନ କରିବେ ଓ ତାଙ୍କୁ ସହାୟତା ମିଳିବ । ପତିଙ୍କ ମୃତ୍ୟୁ ପରେ ପତ୍ନୀ ପୁନର୍ବିବାହ କଲେ ସହାୟତା ପିତାମାତାଙ୍କୁ ମିଳିବ । ଅନୁସୂଚିତ ଜନଜାତି (ଏସଟି) ଲୋକମାନେ ଏହି ପରିଧିରୁ ବାହାରେ ରହିବେ । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ପିଲାଙ୍କର ଦାୟିତ୍ୱ ଜେଜେ ବାବା-ଜେଜେ ମା’ଙ୍କୁ ଦିଆଯାଇପାରେ । ଅନାଥ ଶିଶୁଙ୍କ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରାଯିବ । ମୁସଲିମ ମହିଳାଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ରହିବ ।

Get real time updates directly on you device, subscribe now.