ନୂଆଦିଲ୍ଲୀ: ଘର କ୍ରୟ କରିବାକୁ ନେଇ ରିଅଲ୍ ଇଷ୍ଟେଟ୍ କମ୍ପାନୀ ବିଭିନ୍ନ ପ୍ରକାର ଅଫର ଦେଇଥାଏ । ଏଥିରେ ବହୁତ ରିହାତି ଏବଂ ମାଗଣାରେ ପଞ୍ଜିକରଣ ସହିତ ବହୁ ଲାଭ ମିଳିଥାଏ । କିନ୍ତୁ ଏବେ ଏକ ଅଫର ପୁରା ଦୁନିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଅଫର ହେଉଛି ‘ଘର କିଣ ଓ ପତ୍ନୀ ମାଗଣାରେ ପାଅ’ । ତେବେ ଏହି ଆଡ୍ ଭାଇରାଲ୍ ହେବା ପରେ କମ୍ପାନୀର କଡା ସମାଲୋଚନା କରାଯାଉଛି ।
ଏହି ଅଫର୍ ଚୀନ୍ର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ପକ୍ଷରୁ ଦିଆଯାଇଛି । ଚୀନ୍ର ପ୍ରପର୍ଟି ମାର୍କେଟ୍ ଏବେ ବହୁତ ଖରାପ ଅବସ୍ଥା ଦେଇ ଗତି କରୁଛି । ତେଣୁ ଘରର ବିକ୍ରି ବୃଦ୍ଧି ଲାଗି ଚୀନ୍ର ଏକ ରିଅଲ ଇଷ୍ଟେଟ୍ କମ୍ପାନୀ ଏପରି ଅଫର ଦେଇଛି ।
ଚୀନ୍ର ସବୁଠାରୁ ବଡ ରିଅଲ ଇଷ୍ଟେଟ୍ କମ୍ପାନୀ Evergrande ଏବେ ଦେବାଳିଆ ହୋଇସାରିଛି । ଏହାର ପ୍ରଭାବ ଚୀନ୍ର ପ୍ରପର୍ଟି ମାର୍କେଟ୍ ଓ ଅନ୍ୟ କମ୍ପାନୀ ଉପରେ ବି ପଡିଛି । ଏହି ସଂକଟ ମଧ୍ୟରେ ଏକ ଅନ୍ୟ ରିଅଲ ଇଷ୍ଟେଟ୍ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଛି । ରିଅଲ ଇଷ୍ଟେଟ ମାର୍କେଟରେ ଏହି ସଂକଟ କାରଣରୁ ଚୀନ୍ର ୪ ବଡ ସହରରେ ଘରର ମୂଲ୍ୟ ୧୧ରୁ ୧୪ % କମିଯାଇଛି । ଏହା ସହିତ ନୂଆ ଘରର ବିକ୍ରି କ୍ଷେତ୍ରରେ ବି ୬% ହ୍ରାସ ଦେଖିବାକୁ ମିଳିଛି ।
ରିଅଲ୍ ଇଷ୍ଟେଟ ବଜାରରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ମଧ୍ୟରେ ଟିୟାଂଜିନ୍ ସ୍ଥିତ ଏକ କମ୍ପାନୀ ଘର ବିକ୍ରି ବଢାଇବାକୁ ଗ୍ରାହକଙ୍କୁ ଏପରି ଅବାସ୍ତବ ଅଫର ଘୋଷଣା କରିଛି । କମ୍ପାନୀର ଏହି ଅଫର ଭାଇରାଲ ହେବା ପରେ ବଜାର ନିୟାମକ ପକ୍ଷରୁ କମ୍ପାନୀ ଉପରେ ୪୧୮୪ ଡଲାର(୩ ଲକ୍ଷ ଟଙ୍କା) ଜୋରିମାନା ରାଶି ଲାଗୁ କରାଯାଇଛି ।