fbpx

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପାର୍ଟମେଣ୍ଟ କ୍ରୟ ଓ ବିକ୍ରୟକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଆପାର୍ଟମେଣ୍ଟର ପଞ୍ଜିକରଣ ସହଜରେ ହୋଇପାରିବ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ୱ ଓ ପରିଚାଳନା ନିୟମ ଆସିଛି । ଏନେଇ ଗତ ବର୍ଷ ଅକ୍ଟୋବର ମାସ ୧୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ନିୟମ ପ୍ରକାଶ ପାଇଥିବା ବେଳେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ବାସଗୃହ କ୍ରେତା ସଂଘ ଗଠନ ଓ ପଞ୍ଜିକରଣ ନେଇ ନିୟମ ରହିଛି । ଧାର୍ଯ୍ୟ ସମୟରେ ଆସିଥିବା ଅଭିଯୋଗ / ମତାମତକୁ ବିଚାରକୁ ନିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶକୁ ନେଇ ଗତ ବର୍ଷ ଜୁଲାଇ ମାସରେ ଆଇନ ବିଭାଗ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଥିଲା । ଉଭୟ ମାଗଣା ଓ ଲିଜ ହୋଲଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ତାହା ଲାଗୁ ହେବ ବୋଲି କୁହାଯାଇଥିଲା । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହେବ ଓ ଗୋଟିଏ ପ୍ରକଳ୍ପ ପାଇଁ ଗୋଟିଏ ଆସୋସିଏସନ ଗଠନ କରାଯିବ ବୋଲି କୁହାଯାଇଥିଲା ।

ଆପାର୍ଟମେଣ୍ଟ କିଣାବିକାକୁ ନେଇ ରାଜ୍ୟରେ ପୂର୍ବରୁ ବିବାଦ ରହି ଆସିଛି । ବିଶେଷ କରି ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ ସଂଘ ମଧ୍ୟରେ ବିବାଦ ଦେଖାଦେଉଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏନେଇ ଗତବର୍ଷ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ବିଚାର କରିବା ସହ ମାର୍ଚ୍ଚ ମାସରେ ଏହାକୁ ବିଧାନସଭାରେ ଆଗତ କରିଥିଲେ ।

Get real time updates directly on you device, subscribe now.