fbpx

ଦିବ୍ୟାଙ୍ଗଙ୍କୁ ନେଇ ଗଠନ ହେବ ମ୍ୟୁଜିକାଲ ବ୍ୟାଣ୍ଡ, ମିଳିଲା ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶା ଭାସ୍କର: ଦିବ୍ୟାଙ୍ଗ ପ୍ରତିଭାଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରଣ ବର୍ତ୍ତମାନ ରାଜ୍ୟ ସରକାର ଗଢିବାକୁ ଯାଉଛନ୍ତି ଦିବ୍ୟାଙ୍ଗ ମ୍ୟୁଜିକାଲ ବ୍ୟାଣ୍ଡ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ, ଭୁବନେଶ୍ୱର ତରଫରୁ ଓଡି଼ଶା ସଂଙ୍ଗୀତ ନାଟକ ଏକାଡେମୀ ସହାୟତାରେ ଭିନ୍ନକ୍ଷମ କଳାକାରଙ୍କୁ ନେଇ ଏକ ମ୍ୟୁଜିକାଲ ବ୍ୟାଣ୍ଡ ଗଠନ ହେବ । ଏନେଇ ସରକାରୀ ସ୍ୱୀକୃତି ମଧ୍ୟ ମିଳି ସାରିଛି ।

ତେବେ ମ୍ୟୁଜିକାଲ ବ୍ୟାଣ୍ଡ ଲାଗି କଣ୍ଠ ସଂଙ୍ଗୀତ, ବାଦ୍ୟଯନ୍ତ୍ର ନିପୁଣ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଚୟନ ମଣ୍ଡଳୀ ଗଠନ କରାଯାଇଛି । ଉକ୍ତ ଚୟନ ମଣ୍ଡଳୀ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରୁ କଣ୍ଠ/ବାଦ୍ୟଯନ୍ତ୍ରରେ ନିପୁଣ ବ୍ୟକ୍ତିବିଶେଷଙ୍କ (ଅଡିସନ) ପରୀକ୍ଷା କରିବେ । ସେଥିମଧ୍ୟରୁ ୩୦ ଜଣିଆ ସଦସ୍ୟଙ୍କୁ ନେଇ ମ୍ୟୁଜିକାଲ ବ୍ୟାଣ୍ଡ ଗଠନ ଲାଗି ପ୍ରସ୍ତାବ ଦେବେ । ଏବଂ ଚୟନ ହୋଇଥିବା ଏହି ଭିନ୍ନକ୍ଷମ ପ୍ରତିଭାମାନଙ୍କୁ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ସହାୟତାରେ ତାଲିମ ଦିଆଯିବ ବୋଲି କୁହାଯାଇଛି । ଏହାର ସମସ୍ତ ଖର୍ଚ୍ଚ ପ୍ରତିଷ୍ଠାନ ବହନ କରିବ । ଆଉ ଏହାପରେ ନିଜସ୍ୱ ପ୍ରଚେଷ୍ଟାରେ ତାଲିମପ୍ରାପ୍ତ ଉକ୍ତ ମ୍ୟୁଜିକାଲ ବ୍ୟାଣ୍ଡ ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସ୍ୱାବଲମ୍ବୀ ଓ ସ୍ୱରୋଜଗାରୀ ହେବେ । କିନ୍ତୁ ଏହି ଚୟନିତ ଓ ତାଲିମ ଶେଷ କରିଥିବା ଭିନ୍ନକ୍ଷମ କଣ୍ଠ/ବାଦ୍ୟ ନିପୁଣ କଳାକାରଙ୍କୁ କୌଣସି ସ୍ଥାୟୀ ନିଯୁକ୍ତି ଦେବାର ପ୍ରାବଧାନ ନାହିଁ ବୋଲି ପ୍ରତିଷ୍ଠାନ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ହେଲେ ତାଲିମ ପରେ ସମସ୍ତ ପ୍ରତିଭାମାନଙ୍କୁ ଏକ ସରକାରୀ ସାର୍ଟିଫିକେଟ ପ୍ରଦାନ କରାଯିବ।

ସୂଚନା ଥାଉକି, ଜିଲ୍ଲାସ୍ତରରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଇଚ୍ଛୁକ ଭିନ୍ନକ୍ଷମ କଳାକାରଙ୍କୁ ସୁପାରିଶପତ୍ର ମାଧ୍ୟମରେ, ରାଜ୍ୟସ୍ତରୀୟ ଚୟନ କମିଟିକୁ ପଠାଇବେ। ପୂର୍ଣ୍ଣାଙ୍ଗ ଦରଖାସ୍ତ ଆସନ୍ତା ମାର୍ଚ୍ଚ ୬ ତାରିଖ ସୁଦ୍ଧା ସାଧାରଣ ପରିଚାଳକ, ରାଜ୍ୟ ଭିନ୍ନକ୍ଷମ ପ୍ରତିଷ୍ଠାନ, ଭୁବନେଶ୍ୱର-୭୫୧୦୦୧ ନିକଟରେ ପତ୍ର ମାଧ୍ୟମରେ କିମ୍ବା ଇମେଲ [email protected]ରେ ପଠାଇବେ। ତେବେ ନିର୍ଦ୍ଦିଷ୍ଟ ତାରିଖ ପରେ ପହଞ୍ଚିଥିବା ଦରଖାସ୍ତ ବିଚାରଯୋଗ୍ୟ ହେବ ନାହିଁ ବୋଲି କୁହାଯାଇଛି।

ଆବେଦନ ପାଇଁ ଯୋଗ୍ୟତା କ’ଣ ରହିବା ଆବଶ୍ୟକ?

  • ଦିବ୍ୟାଙ୍ଗ ପ୍ରାର୍ଥୀ ଜଣଙ୍କ ଭାରତୀୟ ନାଗରିକ ତଥା ଓଡ଼ିଶାର ହୋଇଥିବା ଆବଶ୍ୟକ ।
  • ପ୍ରାର୍ଥୀଙ୍କ ବୟସ, ୧୮ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
  • ପ୍ରାର୍ଥୀଙ୍କର ଅକ୍ଷମତା ୪୦% ବା ତଦୁର୍ଦ୍ଧ୍ଵ ହୋଇଥିବ ।
  • ପ୍ରାର୍ଥୀ ଅକ୍ଷମତା ପ୍ରମାଣପତ୍ର (ୟୁଡ଼ିଆଇଡି) ଦାଖଲ କରିବେ ।

Get real time updates directly on you device, subscribe now.