ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ନିମାପଡ଼ା-ଗୋପ ରାସ୍ତାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ଦ୍ରୁତ ଗତିରେ ଆସି ଜଣେ ବାଳକ ଚାଳକଙ୍କୁ ଧକ୍କା ଦେବା ସହିତ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ନିମାପଡ଼ା କରଞ୍ଜି ସାହିର ପ୍ରଭାତ କୁମାର ସ୍ୱାଇଁ ନାମକ ଜଣେ ଯୁବକ ତାଙ୍କର ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ନିମାପଡ଼ା-ଗୋପ ରାସ୍ତାରେ ଏକ କାର ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ।
ଧୀରପୁର ଛକ ନିକଟରେ ପ୍ରଭାତଙ୍କୁ କାରଟି ଧକ୍କା ଦେବା ପରେ ୫୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରଭାତଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଥିଲେ । ଖବର ପାଇ ନିମାପଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିମାନେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ପୋଲିସ ବାଇକ ଓ କାରକୁ ଜବତ କରିଛି । କାରଟି ଗୋପ ଥାନା ଅଞ୍ଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।