fbpx

NCERT ବଦଳାଇଲା ପାଠପଢା ସିଲାବସ୍: ସ୍କୁଲ ପିଲା ପଢିବେନି ବାବ୍ରି ମସଜିଦ ଭଙ୍ଗା କାହାଣୀ

ନୂଆଦିଲ୍ଲୀ: ଏଣିକି ରାଜନୀତି ଶାସ୍ତ୍ରରେ ସାମିଲ ରହିବନି ବାବ୍ରି ମସଜିଦ ମାମଲା । ଏ ନେଇ ପିଲାଙ୍କ ପାଠପଢା ସିଲାବସରେ ପରିବର୍ତ୍ତନ କରିଛି NCERT। ଏଥର ସିଲାବସରେ ମୋଟ ୩ଟି ସ୍ଥାନରେ ପରିବର୍ତ୍ତନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିରେ ୧୯୯୨ ମସିହାରେ ବାବ୍ରି ଢାଞ୍ଚାର ବିଧ୍ୱଂସ ଉପରେ ଆଲୋଚନା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ପରିବର୍ତ୍ତେ ରାମ ମନ୍ଦିର ଆନ୍ଦୋଳନକୁ ବିସ୍ତାର ଭାବରେ ପଢାଯିବ । ଏହାବ୍ୟତୀତ ସୁପ୍ରିମକୋର୍ଟ କେଉଁ ଆଧାରରେ ରାମ ମନ୍ଦିର ଉପରେ ନିଷ୍ପତ୍ତି ଶୁଣାଇଥିଲେ, ତାହା ମଧ୍ୟ ସିଲାବସରେ ସାମିଲ କରାଯିବ । ମେ’ ମାସରେ ଆସିବାକୁ ଥିବା ନୂଆ ବହିରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ ।

ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ କରିଛି ଏନସିଇଆରଟି । ଏ ନେଇ ସିବିଏସଇ ବୋର୍ଡକୁ ମଧ୍ୟ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସ୍କୁଲ ଶିକ୍ଷା ଉପରେ ପରାମର୍ଶ ଦେଉଥିବା ତଥା ସିଲାବସ ପ୍ରସ୍ତୁତ କରୁଥିବା ସଂସ୍ଥା ଏନସିଇଆରଟି ଅନେକ ସମୟରେ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଥାଏ । ପ୍ରତିବର୍ଷ ପ୍ରାୟ ୪ କୋଟି ଛାତ୍ରଛାତ୍ରୀ ଏହାର ସ୍କୁଲ ବହି ପଢୁଛନ୍ତି । ତେବେ ଚଳିତବର୍ଷ ପାଇଁ ଏନସିଇଆରଟି ଚାପ୍ଟର-୮(ଭାରତରେ ସ୍ୱାଧୀନତା ପରେ ରାଜନୀତି)ରେ ଏହି ପରିବର୍ତ୍ତନ କରିଛି । ରାଜନୀତି ଶାସ୍ତ୍ରର ବହିରେ ଏହି ବିଷୟକୁ ୨୦୦୬-୦୭ରୁ ସାମିଲ କରାଯାଇଛି । ଏଥିରେ ଭାରତ ସ୍ୱାଧୀନ ହେବା ପରେ ଦେଶର ରାଜନୀତିରେ ଘଟିଥିବା ୫ଟି ପ୍ରମୁଖ ଘଟଣାକ୍ରମ ଉପରେ ଆଲୋଚନା କରାଯାଇଛି । ଏଥିରେ ଅଯୋଧ୍ୟା ଆନ୍ଦୋଳନ ମଧ୍ୟ ସାମିଲ ରହିବ ।

ତେବେ ଯୋଧ୍ୟା ଆନ୍ଦୋଳନ ବ୍ୟତୀତ, ୧୯୮୯ ମସିହାରେ ପରାଜୟ ପରେ କଂଗ୍ରେସର ପତନ ବିଷୟରେ ମଧ୍ୟ ଉଲ୍ଲେଖ ରହିବ । ସେହିପରି ୧୯୯୦ରେ ମଣ୍ଡଳ ଆୟୋଗ ଲାଗୁ ହେବା, ୧୯୯୧ରେ ଆର୍ଥିକ ସୁଦାରର ଶୁଭାରମ୍ଭ ହେବା ଏବଂ ଏହିବର୍ଷ ରାଜୀବ ଗାନ୍ଧୀଙ୍କ ହତ୍ୟା ଭଳି ଘଟଣା ଏହି ପାଠ୍ୟକ୍ରମରେ ସାମିଲ ହେବ । ଏହାବ୍ୟତୀତ ବିନ୍ନ ଭିନ୍ନ ସରକାରଙ୍କ ମୁଖ୍ୟ କାର୍ଯ୍ୟର ଆଲୋଚନା ମଧ୍ୟ କରାଯିବ ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ଅନୁମତି ଦେଇ ସାରିଛନ୍ତି ।

Get real time updates directly on you device, subscribe now.