ଆସିଲା ଭାରତୀୟ ରେଲୱେର ବଡ ନିୟମ, ଏହାର ପରିସରକୁ ଆସିଥିବା ଯେକୌଣସି ବ୍ୟକ୍ତିର ମାଗଣାରେ ହେବ ଚିକିତ୍ସା

ନୂଆଦିଲ୍ଲୀ: ରେଳଷ୍ଟେସନ କିମ୍ବା ଏହାର ପରିସରରେ ଯଦି କାହା ସହ କିଛି ବି ଦୁର୍ଘଟଣା ଘଟି ବ୍ୟକ୍ତି ଆହତ ହେବ ତେବେ ତାଙ୍କର ଚିକିତ୍ସା ଏଣିକି ଭାରତୀୟ ରେଲୱେ କରାଇବ । ପୀଡିତ ନିକଟରେ ରେଲୱେର କୌଣସି ଟିକେଟ୍ ଥାଉ କି ନ ଥାଉ । ରେଲୱେର ପ୍ରାଥମିକତା ରହିବ ସେହି ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା କରାଇବା ।

ରେଳ ମାନୁଆଲ୍ ଅନୁଯାୟୀ କୌଣସି ବ୍ୟକ୍ତି ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯଦି ପ୍ଲାଟଫର୍ମ କିମ୍ବା ଷ୍ଟେସନରେ ପହଞ୍ଚିଯାଏ ଏପରିକି ଷ୍ଟେସନ ପରିସରରେ ପହଞ୍ଚିଯାଏ ଓ ଏହି ସମୟରେ ତାଙ୍କ ସହ କୌଣସି ଦୁର୍ଘଟଣା ଘଟି ସେ ଆହତ ହୋଇଯାଆନ୍ତି ତେବେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇ ତୁରନ୍ତ ଚିକିତ୍ସା କରାଇବାର ଦାୟିତ୍ୱ ଭାରତୀୟ ରେଲୱେର ଅଟେ । ଏପରିକି ତାଙ୍କ ପାଖରେ ଟିକେଟ୍ ଥାଉ କି ନ ଥାଉ ।

ରେଳ ମାନୁଆଲ ଅନୁଯାୟୀ ଷ୍ଟେସନ ପରିସରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଲୱେର ସମ୍ଭାବିତ ଯାତ୍ରୀ ହୋଇପାରେ । ଯଦି କୌଣସି ବ୍ୟକ୍ତି ବିନା ଟିକେଟରେ ଅଛି ତେବେ ରେଲୱେ ତାଙ୍କ ଉପରେ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ନେବ କିନ୍ତୁ ଆଗ ଚିକିତ୍ସା କରାଇବ । ଟିକେଟ ନ ଥିଲେ ବି କାହାର ଚିକିତ୍ସା ଅଟକି ଯିବ ନାହିଁ ବୋଲି ରେଲୱେ କହିଛି ।