fbpx

ଭାଗ ହୋଇଯିବ ମୁମ୍ବାଇ ଇଣ୍ଡିଆନ୍ସ! ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର-ବୁମରାହଙ୍କ ବୈଠକ!

ନୂଆଦିଲ୍ଲୀ: ଆଇପିଏଲର ପ୍ଲେଅଫ ଦୌଡ଼ରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ନିରାଶଜନକ ପ୍ରଦର୍ଶନ କରିଛି ୫ ଥରର ଚମ୍ପିଆନ୍ ଦଳ । ଚଳିତ ଆଇପିଏଲ ସିଜନରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ନେତୃତ୍ୱ ଦେବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ପଡ଼ିଛି । ଫଳରେ ଦଳ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚରୁ ୮ଟି ପରାଜୟ ସହ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ତେବେ ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଭିତିରି କଥା ସାମନାକୁ ଆସିଛି । ମୁମ୍ବାଇ ପଲଟନ୍ ମଧ୍ୟରେ ଅନେକ ଖେଳାଳିଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବା ଜାଣିବାକୁ ମିଳିଛି । ଏ ନେଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବଂ ୟର୍କର କିଙ୍ଗ ଯଶପ୍ରୀତ ବୁମରାହଙ୍କ ମଧ୍ୟରେ ଏକ ବୈଠକ କରିଛନ୍ତି ।

ସିଜନ ଆରମ୍ଭରୁ ରୋହିତ ଶର୍ମାଙ୍କୁ ନେତୃତ୍ୱ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ଅଧିନାୟକ କରାଯାଇଥିଲା । ହେଲେ ଦଳ କ୍ରମାଗତ ମ୍ୟାଚ ହାରିବା ସହ ବର୍ତ୍ତମାନ ପ୍ଲେଅଫରୁ ବାଦ ପଡ଼ିଛି । ଏହାପରେ ପାଣ୍ଡ୍ୟାଙ୍କ ବିରୋଧରେ ମେଳି କରିଛନ୍ତି ପୂର୍ବତନ ଅଧିନାୟକ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମ୍ରା । ୩ ଜଣ ଖେଳାଳି ଏକାଠି ଏକ ଗୁପ୍ତ ବୈଠକ କରି ପାଣ୍ଡ୍ୟାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ରିପୋର୍ଟ ଅନୁସାରେ, ମୁମ୍ବାଇ ଗୋଟିଏ ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ ସୂର୍ୟ୍ୟକୁମାର ଯାଦବଙ୍କ ଭଳି ଆଉ କିଛି ବରିଷ୍ଠ ଖେଳାଳିମାନେ ବୈଠକ କରିଥିଲେ । ଏହି ବୈଠକରେ ଖେଳାଳିମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ପାଣ୍ଡ୍ୟାଙ୍କ ନେତୃତ୍ୱକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ । ରୋହିତ ଶର୍ମା ଏକ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରହିଥିଲେ । ତାଙ୍କ ଅଧୀନରେ ମୁମ୍ବାଇ ୫ ଥର ଚାମ୍ପିୟନ ହୋଇଥିଲା । ହେଲେ ୨୦୨୪ ଆଇପିଏଲର ଠିକ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ମୁମ୍ବାଇର ଅଧିନାୟକ ପଦ ପାଣ୍ଡ୍ୟାଙ୍କୁ ମିଳିଥିଲା । ହଠାତ ନେତୃତ୍ୱ ପରିବର୍ତ୍ତନ ଡ୍ରେସିଂ ରୁମ ପରିବେଶକୁ ବିଗାଡ଼ି ଦେଇଥିଲା ।

ଟିମର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ଯୋଗୁଁ ଗୋଟିଏ ଟିମରେ ଏପରି ସମସ୍ୟା ଦେଖାଯିବା ସ୍ୱାଭାବିକ କଥା । ଖେଳରେ ସବୁବେଳେ ଏମିତି ଘଟିଥାଏ । ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ । ବିପକ୍ଷ ମ୍ୟାଚ୍ ହାରିବା ପରେ ପାଣ୍ଡ୍ୟା ସିଧାସଳଖ ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ଦୋଷ ଦେଇଥିଲେ । ତେବେ ଏହି ମ୍ୟାଚରେ ତିଲକ ୩୨ ବଲରେ ୬୩ ରନର ଇନିଂସ ଖେଳିଥିଲେ । ସେହିପରି ତିଲକ ମଧ୍ୟ ଚଳିତ ସିଜନରେ ମୁମ୍ବାଇ ପାଇଁ ସର୍ବାଧିକ ସ୍କୋର କରିଛନ୍ତି । ତଥାପି ପାଣ୍ଡ୍ୟାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଥିଲା । ଏଥିପାଇଁ ଦଳରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି ବୋଲି ଆଲୋଚନା ଆରମ୍ଭ ହୋଇଛି ।

Get real time updates directly on you device, subscribe now.