ମୁମ୍ୱାଇ: ଆସନ୍ତା ସପ୍ତାହରେ ନିବେଶକଙ୍କ ପାଇଁ ଖୋଲିବ ବୀମା ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ଗୋ ଡିଜିଟ୍ ଜେନେରାଲ ଇନସ୍ୟୁରାନ୍ସର ଆଇପିଓ । ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସମର୍ଥନରେ କମ୍ପାନୀ ଏହି ଆଇପିଓ ଜରିଆରେ ମୋଟ ୨,୬୧୫.୬୫ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହି କମ୍ପାନୀ ଆଇପିଓର ପ୍ରାଇସ୍ ବଣ୍ଡ୍ ସ୍ଥିର କରିଛି ।
କଂପାନି ପକ୍ଷରୁ ଦାଖଲ କରାଯାଇଥିବା ଡିଆର୍ଏଚ୍ପି ଅନୁଯାୟୀ, ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଖରେ କମ୍ପାନିର ୨,୬୬,୬୬୭ ଇକ୍ୱିଟି ସେୟାର ରହିଛି। ୨୦୨୦ ଫେବୃଆରୀରେ ବିରାଟ କମ୍ପାନୀରେ ୨ କୋଟି ଟଙ୍କା ନିବେଶ କରିଥିଲେ। ସେ ଏହି ସେୟାରଗୁଡ଼ିକୁ ସେୟାର ପିଛା ୭୫ ଟଙ୍କାରେ କିଣିଥିଲେ। ସେହିପରି ଅନୁଷ୍କା ଶର୍ମା ୫୦ ଲକ୍ଷ ଟଙ୍କା ନିବେଶ କରି ୬୬,୬୬୭ ଇକ୍ୱିଟି ସେୟାର କିଣିଛନ୍ତି। ଦୁହେଁ ୨୦୨୦ ରେ କମ୍ପାନୀରେ ଇକ୍ୱିଟି କିଣିଥିଲେ । ଆଇପିଓର ମୂଲ୍ୟ ବଣ୍ଡ୍ ସେୟାର ପିଛା ୨୫୮ ଟଙ୍କା ଏବଂ ୨୭୨ ଟଙ୍କା ଧାର୍ଯ୍ୟ କରାଯାଇଛି।
ଏଭଳି ପରିସ୍ଥିତିରେ ଉପରୋକ୍ତ ମୂଲ୍ୟ ବଣ୍ଡ୍ ଅନୁଯାୟୀ ବିରାଟ ଓ ଅନୁଷ୍କା ନିଜ ନିବେଶ ଉପରେ ୨୭୧% ଦୃଢ଼ ରିଟର୍ଣ୍ଣ ପାଇପାରିବେ। ୨.୫୦ କୋଟି ଟଙ୍କା ନିବେଶ ବଦଳରେ ସେମାନେ ୯.୨୫ କୋଟି ଟଙ୍କାର ରିଟର୍ଣ୍ଣ ପାଇପାରିବେ। ସେହି ସମୟରେ ଦୁହେଁ ସେୟାର ପିଛା ୭୫ ଟଙ୍କା ହିସାବରେ କମ୍ପାନୀରେ ନିବେଶ କରିଥିଲେ। ଦୁହେଁ ଏହି ଆଇପିଓରେ ନିଜର ସେୟାର ବିକ୍ରି କରିବାକୁ ଯାଉଛନ୍ତି। କମ୍ପାନୀ ଆଇପିଓରେ ୧୧୨୫ କୋଟି ଟଙ୍କାର ନୂଆ ସେୟାର ଜାରି କରିଛି । ସେହିପରି ଏହି ଅଫର ଜରିଆରେ ୧୪୮୯.୬୫ କୋଟି ଟଙ୍କାର ସେୟାର ବିକ୍ରି ହେଉଛି ।
ମେ’ ୧୪ରେ ଆଙ୍କର ନିବେଶକଙ୍କ ପାଇଁ ଆଇପିଓ ଖୋଲିବ। ସେହିପରି ଖୁଚୁରା ନିବେଶକମାନେ ମେ ୧୫ରୁ ୧୭ ମଧ୍ୟରେ ନିବେଶ କରିପାରିବେ। କମ୍ପାନୀ ୨୧ ମଇ ୨୦୨୪ରେ ନିବେଶକମାନଙ୍କୁ ସେୟାର ଆବଣ୍ଟନ କରିବ । ମେ’ ୨୨ ରେ ବିଫଳ ନିବେଶକଙ୍କୁ ଟଙ୍କା ଫେରାଇ ଦିଆଯିବ। ମେ’ ୨୨ତାରିଖରେ ଏହି ସେୟାରକୁ ଡିମାଟ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ। ମେ ୨୩ରେ ଏହି ସେୟାର ତାଲିକାଭୁକ୍ତ ହେବ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଏହି ସେୟାର ତାଲିକାଭୁକ୍ତ ହେବ ।