fbpx

ଟି-୨୦ ବିଶ୍ୱକପରେ ଭାରତ କ’ଣ କରିବ: କେବଳ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭଲ ଖେଳାଳି ଫର୍ମରେ ନାହାନ୍ତି

ନୂଆଦିଲ୍ଲୀ: ଆଉ ୩ ଦିନ ପରେ ଜୁନ ୨ ତାରିଖରୁ ୱେଷ୍ଟଇଣ୍ଡିଜ ଓ ଆମେରିକା ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ । ଜୁନ ୧ରେ ବାଂଲାଦେଶ ବିପକ୍ଷରେ ଭାରତ ଏକମାତ୍ର ୱାର୍ମ ଅପ୍ ମ୍ୟାଚ ଖେଳିବ । ତେବେ ଗତବର୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରି ନିରାଶ ହୋଇଥିବା ବେଳେ ବିଦେଶ ମାଟିରେ କେମିତି ଟି-୨୦ ଟ୍ରଫିକ ଜିତିବ ତାହା ଏକ ବଡ଼ ପ୍ରଶ୍ନ । ପୁଣି ନିକଟରେ ଆଇପିଏଲ ସମାପ୍ତ ହୋଇଥିବା ବେଳେ ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳିମାନଙ୍କର ଫର୍ମ ଜଳ ଜଳ ହୋଇ ବାରି ହୋଇ ପଡ଼ୁଛି । ତେଣୁ ଫର୍ମ ଏବେ ଭାରତୀୟ ଟିମର ମୁଖ୍ୟ ଚିନ୍ତା ଭାବେ ଉଭା ହୋଇଛି ।

ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରି ୯ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ତେଣୁ ମହାସମର ପୂର୍ବରୁ ଟିମ୍ ଇଣ୍ଡିଆର ସ୍ଥିତି ବିଷୟରେ ଆକଳନ କରିବା ନିହାତି ଜରୁରୀ । ଦୀର୍ଘ ୧୨ ବର୍ଷ ପରେ ଭାରତ ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆ ନିକଟରୁ ହାରିବା ପରେ ବିଶ୍ୱ ଚାମ୍ପିୟନ ହେବାକୁ ପୁଣି ପ୍ରତୀକ୍ଷା କରିବାକୁ ପଡ଼ିବ । ସେହିପରି ୨୦୦୭ରେ ଭାରତ ଥରେ ମାତ୍ର ଟି-୨୦ ଚାମ୍ପିୟନ ହୋଇଥିବା ବେଳେ ଦୀର୍ଘ ୧୭ ବର୍ଷ ପରେ ପୁଣି ଦେଶକୁ ଟ୍ରଫି ଫେରାଇ ଆଣିବାକୁ ଟିମ୍ ଇଣ୍ଡିଆ ପ୍ରୟାସ କରିବ ।

ଚଳିତ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ ବ୍ୟାଟିଂକୁ ନେଇ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ଇୟନ ମୋର୍ଗାନ ପ୍ରଶଂସା କରିବା ସହ ଭାରତ ବିଶ୍ୱକପରେ ତାଙ୍କର ଫେଭରାଇଟ୍ ଟିମ୍ ବୋଲି କହିଛନ୍ତି । ଚଳିତ ଆଇପିଏଲରେ ବିରାଟ କୋହଲି ଅରେଞ୍ଜ କ୍ୟାପ ଜିତିଥିଲେ । ସେ ଗୋଟିଏ ଶତକ, ୫ଟି ଅର୍ଦ୍ଧଶତକ ସହାୟତାରେ ୭୪୧ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କର ଆଭରେଜ ୬୧.୭୫ ରହିବା ସହ ଷ୍ଟ୍ରାଇକ ରେଟ୍ ୧୫୪.୬୯ ରହିଥିଲା । ଅଧିନାୟକ ରୋହିତ ଶର୍ମା ଶେଷ ଲିଗ୍ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଧିକାଂଶ ମ୍ୟାଚରେ ତାଙ୍କର ବ୍ୟାଟ ନିରବ ରହିଥିଲା ।

ସେହିପରି ଏହି ଫର୍ମାଟରେ ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଟ୍ରମ୍ପ କାର୍ଡ ସୂର୍ଯ୍ୟକୁମାର ଯାଦବ ୧୧ଟି ମ୍ୟାଚରୁ ମାତ୍ର ୩୪୫ ରନ୍ ସଂଗ୍ରହ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବସ୍ଥା ନ କହିବା ଭଲ । ସେ ୧୪ଟି ମ୍ୟାଚରୁ ମାତ୍ର ୨୧୬ ରନ୍ ସଂଗ୍ରହ କରିଥିଲେ, ମାତ୍ର ତାଙ୍କର ଷ୍ଟ୍ରାଇକ ରେଟ୍ ୧୪୩ ରହିଥିଲା । ରବିନ୍ଦ୍ର ଜାଡ଼େଜା ୧୦ଯି ମ୍ୟାଚରୁ ୨୨୨ ରନ୍ ସଂଗ୍ରହ କରିଥିବା ବେଳେ ସେ ଫର୍ମରେ ଥିବା ଭଳି ଲାଗୁଥିଲେ । ଶିବମ ଦୁବେ ୧୪ଟି ମ୍ୟାଚରୁ ୩୯୬ ରନ୍ ସଂଗ୍ରହ କରିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୬୩ ରହିଥିଲା । ଯଶସ୍ୱୀ ଜୟୱାଲ ୧୬ଟି ମ୍ୟାଚରୁ ୪୩୫ ରନ୍ ସଂଗ୍ରହ କରିଥିବା ବେଳେ ଋଷଭ ପନ୍ତ ୧୩ଟି ମ୍ୟାଚରୁ ୪୪୬ ରନ୍ ସଂଗ୍ରହ କରିଥିଲେ ।

ବୋଲିଂରେ ଚଳିତ ଆଇପିଏଲ ସିଜିନରେ ଯଶପ୍ରୀତ ବୁମ୍ରା ୧୩ଟି ମ୍ୟାଚରୁ ୬.୪୮ ଇକୋନମୀରେ ୨୦ଟି ୱିକେଟ ନେଇଥିଲେ । ଅର୍ଶଦୀପ ସିଂହ ୧୯ଟି ୱିକେଟ ନେଇଥିବା ବେଳେ ଇନୋନମୀ ୧୦.୦୩ ରହିଥିଲା । ୟୁଜବେନ୍ଦ୍ର ଚହଲ ୧୮ଟି, କୁଲଦୀପ ଯାଦବ ୧୬ଟି, ହାର୍ଦ୍ଦିକ ପାଣ୍ଡ୍ୟା ୧୧ଟି, ଜାଡ଼େଜା ୮ଟି, ଅକ୍ଷର ପଟେଳ ୧୧ଟି ୱିକେଟ ନେଇଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ଅଧିକାଂଶ ଖେଳାଳିଙ୍କର ପ୍ରଦର୍ଶନକୁ ଖରାପ କହିହେବ ନାହିଁ, ତାହା ଆଭରେଜ୍ ହେବ । ଏପରି ସ୍ଥିତିରେ ବୁମ୍ରାଙ୍କ ଛାଡ଼ିଦେଲେ ଭାରତର ସ୍ଥିତି ଖରାପ ହୋଇଯିବ । ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଟି-୨୦ ବିଶ୍ୱକପ ବିଜୟ ଫର୍ମୂଲା ପ୍ରସ୍ତୁତ କରିବା ନିହାତି କଷ୍ଟକର ହୋଇପଡ଼ିବ ।

Get real time updates directly on you device, subscribe now.