fbpx

T-20 ବିଶ୍ୱକପ ପୂର୍ବରୁ ଷ୍ଟାର ଖେଳାଳି ବ୍ୟାନ୍, ୩୦୩ ମ୍ୟାଚରେ ବେଟିଂ: ଇଂଲଣ୍ଡ ଟିମକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଜଣେ ଷ୍ଟାର କ୍ରିକେଟରଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରାଯାଇଛି । କ୍ରିକେଟ ନିୟମର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଇଂଲଣ୍ଡର ଷ୍ଟାର ବୋଲର ବ୍ରାୟଡନ୍ କାର୍ସଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । କାର୍ସଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ କରିଥିବା ନେଇ ବୋର୍ଡ ତରଫରୁ ଘୋଷଣା ମଧ୍ୟ ହୋଇଛି । ୨ ବର୍ଷ ମଧ୍ୟରେ ୩୦୩ ମ୍ୟାଚରେ ବେଟିଂ କରିଥିବା ଅଭିଯୋଗରେ ଏଭଳି କଡ଼ା ପଦକ୍ଷେପ ନେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ।

ଇଂଲଣ୍ଡର ଷ୍ଟାର ବୋଲର ବ୍ରାୟଡନ୍ କାର୍ସ ଗତ ୨୦୨୩ ଦିନିକିଆ ବିଶ୍ୱକପରେ ଦଳରେ ସାମିଲ କରିଥିଲା ଇଂଲଣ୍ଡ । ତେବେ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳି ନଥିଲେ ମଧ୍ୟ ୩ ମାସ ପାଇଁ ତାଙ୍କୁ ବ୍ୟାନ୍ ଆଦେଶ ଜାରି ହୋଇଛି । ଇଂଲଣ୍ଡ ବୋର୍ଡ ଦ୍ୱାରା ଭ୍ରଷ୍ଟାଚାର ବିରୋଧୀ ଯାଞ୍ଚ ପରେ ୧୬ ମାସ ଦଣ୍ଡାଦେଶ ଜାରି ହୋଇଥିଲା । ଏଥିରୁ ୧୩ ମାସ ନିଲମ୍ବିତ କରାଯାଇଛି । ବ୍ରାୟଡନ୍ କାର୍ସ ୨୦୧୭-୨୦୧୯ ବର୍ଷ ମଧ୍ୟରେ ମୋଟ ୩୦୩ କ୍ରିକେଟ ମ୍ୟାଚ ଉପରେ ବେଟିଂ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ସ୍ୱୀକାର କରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ତେବେ ଏହି ମ୍ୟାଚଗୁଡ଼ିକରେ ସେ କୌଣସି ଜିନିଷ ବାଜିରେ ଲଗାଇ ନଥିବାରୁ ତାଙ୍କୁ ମାତ୍ର ୩ ମାସ ପାଇଁ ଦଣ୍ଡ ଦେଇଛି ବୋର୍ଡ ।

କୌଣସି ଖେଳାଳି କ୍ରିକେଟର କୌଣସି ମ୍ୟାଚ ଉପରେ ମଧ୍ୟ ବେଟ୍ ଲଗାଇ ପାରିବେ ନାହିଁ । ଇଂଲଣ୍ଡ ପାଇଁ ୧୭ଟି ମ୍ୟାଚ ଖେଳିଥିବା ବ୍ରାୟଡନ୍ କାର୍ସ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ଦୂରେଇ ରହିବେ ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି । ଏ ନେଇ କାର୍ସ କହିଛନ୍ତି ଯେ, ଏହି ବେଟିଂ ଅନେକ ବର୍ଷ ତଳେ ହୋଇଥିଲା । ତେବେ ଏଥିପାଇଁ ନିଜକୁ ଦୋଷୀ ବୋଲି ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.