fbpx

ଜୁନ୍ ୨୨ରେ ହେବ ଓଡ଼ିଶା ନ୍ୟାୟିକ ସେବା-୨୦୨୩ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ହେବ ନାହିଁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା । ଜୁନ ୨୩ରେ ଓଜେଏସ-୨୦୨୩ ପ୍ରିଲିମ୍ସ ଅନୁଷ୍ଠିତ ହେବା ନେଇ ଗତ ମାସ ୨୪ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ତେବେ ଏହା ମଧ୍ୟରେ ଓଜେଏସ୍ ପ୍ରିଲିମ୍ସ ପରୀକ୍ଷା ରିଶିଡ୍ୟୁଲ ହେବା ସହିତ ନୂଆ ତାରିଖ ଘୋଷଣା କରାଯାଇଛି । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଓପିଏସସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ନୋଟିସ୍ ମୁତାବକ, ଜୁନ୍ ୨୩ ବଦଳରେ ଜୁନ ୨୨ ତାରିଖ (ଶନିବାର) ଦିନ ଓଜେଏସ-୨୦୨୩ ପ୍ରିଲିମ୍ସ ଅନୁଷ୍ଠିତ ହେବ । ପୂର୍ବରୁ ସକାଳ ୧୦ଟାରୁ ୧୧.୩୦ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହା ପରିବର୍ତ୍ତନ କରାଯାଇ ଅପରାହ୍ଣ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ୩ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇ ପାରିବେ । ସେଣ୍ଟର ଲିଷ୍ଟ ଓ ପ୍ରାର୍ଥୀଙ୍କ ରୋଲ ନମ୍ବର ଲିଷ୍ଟ ପରେ ଜାରି କରାଯିବ । ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମୋଟ ୨୪ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ପଦ ପୂରଣ ପାଇଁ ପୂର୍ବରୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗତ ମାର୍ଚ୍ଚ ୨୦ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଏନେଇ ଆବେଦନ ଚାଲିଥିଲା । ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ରାଜ୍ୟର ୫ଟି ଜୋନାଲ କେନ୍ଦ୍ରରେ ପ୍ରିଲିମ୍ ଓ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

OJS-2023

Get real time updates directly on you device, subscribe now.