fbpx

ଏଗଜିଟ୍ ପୋଲର ରିପୋର୍ଟ କେତେ ଠିକ୍-କେତେ ଭୁଲ୍: ୨୦୧୪ ଓ ୨୦୧୯ ନିର୍ବାଚନର ଆକଳନ କିପରି ରହିଥିଲା?

ନୂଆଦିଲ୍ଲୀ: ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏବେ କେବଳ ଅପେକ୍ଷା ଭୋଟ ଗଣତିକୁ । ଆସନ୍ତା ୪ ତାରିଖ ଅନେକ ନେତାଙ୍କ ଭାଗ୍ୟର ଇତିହାସ ଲେଖିବ, ଆଉ ଅନେକ ନେତା ରାଜନୀତିରୁ ସବୁଦିନ ପାଇଁ ଉଭେଇ ଯାଇ ପାରନ୍ତି । ତେବେ ଫଳାଫଳ ଘୋଷଣା ପୂର୍ବରୁ ସାମ୍ନାକୁ ଆସିଛି ବୁଥ ବାହୁଡ଼ା ମତ ବା ଏଗଜିଟ୍ ପୋଲ ତଥ୍ୟ । ଇଣ୍ଡିଆ ନ୍ୟୁଜ୍, ରିପବ୍ଲିକ ଟିଭି, ଦୈନିକ ଭାସ୍କର, ଏନଡିଟିଭି, ଇଣ୍ଡିଆ ଟିଭି ପରି କିଛି ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥା ସେମାନଙ୍କର ଡାଟା ପ୍ରକାଶ କରିଛନ୍ତି । ଏଥର ଏନଡିଏ ହ୍ୟାଟ୍ରିକ୍ ଅର୍ଜନ କରିବ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି । ସେହିପରି ରାଜ୍ୟର ମଧ୍ୟ କିଛି ଗଣମାଧ୍ୟମ ସଂସ୍ଥା ସେମାନଙ୍କର ଆକଳନ ଜାରି କରିଛନ୍ତି । ରାଜ୍ୟରେ ଏଥର ବିଜେପି ଅଧିକ ଲୋକସଭା ଆସନ ପାଇବ ବୋଲି କିଛି ସଂସ୍ଥା ଆକଳନ କରିଥିବା ବେଳେ ପୂର୍ବ ପରି ବିଜେଡି ଅଧିକାଂଶ ସିଟ୍ ପାଇବ ବୋଲି ଆଉ କିଛି ସଂସ୍ଥା ପକ୍ଷରୁ କୁହାଯାଇଛି ।

ତେବେ ଆଉ ମାତ୍ର ଗୋଟିଏ ଦିନ ବିତିଯିବା ପରେ ୪ ତାରିଖ ଦିନ ଫଳାଫଳର ଚିତ୍ର ସାମ୍ନାକୁ ଆସିଯିବ । ମାତ୍ର ତା’ ପୂର୍ବରୁ ଏଗଜିଟ ପୋଲକୁ ନେଇ ପ୍ରଶ୍ନ ଉଠିଛି । ପ୍ରକୃତରେ ଏଗଜିଟ ପୋଲର ତଥ୍ୟ କେତେ ସତ ହୁଏ? ଏଗଜିଟ ପୋଲର ତଥ୍ୟ ସବୁ ସମୟରେ ସଠିକ୍ ହୋଇନଥାଏ । ୨୦ ବର୍ଷ ପୂର୍ବେ ୨୦୦୪ ଲୋକସଭା ନିର୍ବାଚନକୁ ନେଇ ଆସିଥିବା ଏଗଜିଟ ପୋଲର ତଥ୍ୟ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥିଲା । ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ ବୋଲି ଏଗଜିଟ ପୋଲ ତଥ୍ୟ ଦେଇଥିବା ବେଳେ ମେଣ୍ଟ ମାତ୍ର ୧୮୯ଟି ସିଟରେ ସୀମିତ ରହିଯାଇଥିଲା । ଫଳରେ କଂଗ୍ରେସ ସବୁଠାରୁ ବଡ଼ ପାର୍ଟିର ମାନ୍ୟତା ହାସଲ କରିବା ସହ ୟୁପିଏ ସରକାର ଗଠନ କରିଥିଲା ।

ତେଣୁ ଏଭଳି ସ୍ଥିତିରେ ୨୦୧୪ ଓ ୨୦୧୯ ମସିହାର ଏଗଜିଟ ପୋଲ ତଥ୍ୟ କଥା ବିଚାର କରିବାର ସମୟ ଆସିଯାଇଛି । ୨୦୧୯ରେ ଏନଡିଏ ୩୦୬, ୨୮୭, ୩୫୨ଟି ସିଟ୍ ପାଇବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ଏନଡିଏ ୩୦୩ଟି ଆସନରେ ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ଓ ତା’ର ସହଯୋଗୀ ଦଳ ୧୩୨, ୧୨୮ ଓ ୯୩ଟି ଆସନ ପାଇବେ ବୋଲି କିଛି ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିବା ବେଳେ କଂଗ୍ରେସ ମାତ୍ର ୫୨ଟି ସିଟରେ ସୀମିତ ରହିଯାଇଥିଲା ଓ ସହଯୋଗୀମ ଦଳମାନେ ମଧ୍ୟ ଦୁର୍ବଳ ପ୍ରଦର୍ଶନ କରିଥିଲେ । କିଛି ସଂସ୍ଥାର ଆକଳନ ପାଖାପାଖି ସଠିକ୍ ରହିଥିଲା ।

ସେହିପରି ୨୦୧୪ରେ ଏନଡିଏ ୨୫୭, ୨୭୬, ୨୯୧ଟି ସିଟ୍ ପାଇବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ବିଜେପି ୨୮୨ଟି ଆସନରେ ଜିତିବା ସହ ଏନଡିଏ ମୋଟ ୩୬୬ଟି ଆସନରେ ଜିତିଥିଲା । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୩୫, ୭୦, ୯୭ଟି ଆସନ ପାଇବା ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିବା ବେଳେ କଂଗ୍ରେସ ୪୪ଟି ଆସନ ପାଇଥିଲା ଓ ୟୁପିଏ ୬୬ଟିରେ ସୀମିତ ରହିଯାଇଥିଲା । କିଛି ସଂସ୍ଥାର ଆକଳନ ଅନେକାଂଶରେ ସଠିକ୍ ରହିଥିଲା । ତେଣୁ ୨୦୨୪ର ବାସ୍ତବ ଫଳାଫଳ ଜାଣିବାକୁ ହେଲେ ସମଗ୍ର ଭାରତବାସୀଙ୍କୁ ଜୁନ ୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.