fbpx

ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ଯଦି ପ୍ରାର୍ଥୀଙ୍କର ପରଲୋକ ଘଟେ, ତେବେ ଏ କ୍ଷେତ୍ରରେ କାହାକୁ ବିଜୟୀ ଘୋଷଣା କରାଯିବ?

ନୂଆଦିଲ୍ଲୀ: ୧୮ତମ ଲୋକସଭାର ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ସମାପ୍ତ ହୋଇଛି । ଆସନ୍ତା ୪ ତାରିଖରେ ଘୋଷଣା ହେବାକୁ ଥିବା ଫଳାଫଳ ଉପରେ ଏବେ ସାରା ଦେଶର ନଜର । ଏହା ମଧ୍ୟରେ ଏଗଜିଟ୍ ପୋଲର ଆକଳନ ସାମ୍ନାକୁ ଆସିଥିବା ବେଳେ ବିଭିନ୍ନ ଦଳର ବିଜୟ / ପରାଜୟ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆଉ ଗୋଟିଏ ଦିନ ପରେ ବାସ୍ତବ ଫଳାଫଳର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ଭାରତରେ ନିର୍ବାଚନକୁ ନେଇ ଅନେକ ନିୟମ ରହିଛି ।

ଏହି ପରିପ୍ରେକ୍ଷୀରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଭୋଟ ଗ୍ରହଣ କରାଯିବା ପରେ ଫଳାଫଳ ଘୋଷଣା ହେବା ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କର ଅଚାନକ ବିୟୋଗ ଘଟେ, ତେବେ ସେ କ୍ଷେତ୍ରରେ କ’ଣ କରାଯିବ? ନିକଟରେ ଏଭଳି ଏକ ବଡ଼ ଅଘଟଣ ଘଟିଥିଲା । ଗତ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ପରେ ଉତ୍ତରପ୍ରଦେଶର ମୁରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଅଚାନକ ମୃତ୍ୟୁ ଘଟିଥିଲା ।

ଯଦି ଭୋଟିଂ ପୂର୍ବରୁ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଥାନ୍ତା, ତେବେ ନିର୍ବାଚନ ଆୟୋଗ ସେ କ୍ଷେତ୍ରରେ ଭୋଟିଂକୁ ରଦ୍ଦ କରିଦେଇଥାନ୍ତେ ଓ ନୂଆ ତାରିଖ ଘୋଷଣା କରିଥାନ୍ତେ । ଏଭଳି ସ୍ଥିତିରେ ଦଳ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥାନ୍ତା । ମାତ୍ର ଭୋଟିଂ ପରେ ପ୍ରାର୍ଥୀଙ୍କର ପରଲୋକ ଘଟିଥିବାରୁ ସେ କ୍ଷେତ୍ରରେ ନିୟମ ମାନିବାକୁ ପଡ଼ିବ । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଏପରି ବହୁ ଘଟଣା ସାମ୍ନାକୁ ଆସିଥିଲା । ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ, ଯଦି ଭୋଟିଂ ପରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟେ, ତେବେ ସେ କ୍ଷେତ୍ରରେ ଆୟୋଗ ଭୋଟ ଗଣତି ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଯଦି ଗଣତି ପରେ ମୃତକ ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ନିର୍ବାଚନକୁ ବାତିଲ କରାଯାଇଥାଏ । କାରଣ ଉକ୍ତ ଆସନରୁ ପ୍ରତିନିଧିତ୍ୱ କରୁଥିବା ପ୍ରାର୍ଥୀ ଏବେ ଜିବିତ ନାହାନ୍ତି । ଜନପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୧୫୧ଏ ଅନୁସାରେ ୬ ମାସ ଭିତରେ ନିର୍ବାଚନ କରିବାକୁ ପଡ଼ିଥାଏ । ସେହିପରି ଯଦି ଅନ୍ୟ କୌଣସି ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ନିର୍ବାଚନ ବାତିଲ କରାଯାଇନଥାଏ । ନିର୍ବାଚନ ଆୟୋଗ ଉକ୍ତ ପ୍ରାର୍ଥୀଙ୍କୁ ବିଜୟୀ ପ୍ରାର୍ଥୀ ବୋଲି ଘୋଷଣା କରିଥାନ୍ତି । ଆସନ୍ତା ୪ ତାରିଖରେ ରେଜଲ୍ଟ ଆସିବା ପରେ ମୁରାଦାବାଦ ଆସନରେ ମଧ୍ୟ ନିର୍ବାଚନ ଆୟୋଗ ଉକ୍ତ ନିୟମ ଲାଗୁ କରିବେ ।

Get real time updates directly on you device, subscribe now.