ଶେଷ ହେଲା ସୁନୀଲ ଛେତ୍ରୀଙ୍କ ଦୀର୍ଘ ୨୦ ବର୍ଷର କ୍ୟାରିୟର; ଡ୍ର ରହିଲା କୁଏତ-ଭାରତ ମ୍ୟାଚ୍

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍। ଫାଇନାଲ-୧୮ ପର୍ଯ୍ୟାୟକୁ ଯିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ଥିଲା। ଭାରତକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିବ, କିନ୍ତୁ ଅନ୍ୟ ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ।

ମ୍ୟାଚ୍ ଶେଷ ହେବା ପରେ ଅନ୍ୟ ଖେଳାଳିମାନେ ଛେତ୍ରୀଙ୍କୁ ସମ୍ମାନିତ କରିଥିଲେ, କିନ୍ତୁ ଏହି ସମୟରେ ସେ ଭାବପ୍ରବଣ ମଧ୍ୟ ହୋଇଯାଇଥିଲେ। ପ୍ରଥମାର୍ଧ ଓ ଦ୍ବିତୀୟାର୍ଧରେ ଭାରତ ଗୋଲ କରିବାର ଅନେକ ସୁଯୋଗ ପାଇଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ହାତଛଡ଼ା କରିପାରିନଥିଲା। ଭାରତର ପରବର୍ତ୍ତୀ ମ୍ୟାଚ୍ ଜୁନ୍ ୧୧ରେ କତାର ବିପକ୍ଷରେ ହେବ। ଭାରତୀୟ ଅଧିନାୟକ ନିୟମିତ ଭାବେ କୁଏତର ଡିଫେନ୍ସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ମ୍ୟାଚ୍ ଡ୍ର’ର ଏକ ପ୍ରମୁଖ କାରଣ ହେଲା ଭାରତୀୟ ଦଳର ଡିଫେନ୍ସ ଅନେକ ସମୟରେ ଦୁର୍ବଳ ରହିଥିଲା, ଯେଉଁକାରଣରୁ କୁଏତ ଅନେକ ଥର ଗୋଲ୍ ସ୍କୋର କରିବାର ଅତି ନିକଟତର ହୋଇଥିଲା। ଅନ୍ୟପକ୍ଷରେ ଆକ୍ରମଣାତ୍ମକ ବିଭାଗରେ ଭାରତୀୟ ଦଳ ପୁଣି ଥରେ ସୁନୀଲ ଛେତ୍ରୀଙ୍କ ଉପରେ ଅଧିକ ନିର୍ଭରଶୀଳ ଥିବା ଜଣାପଡିଛି। ମ୍ୟାଚ୍ ଶେଷ ହେବା ପରେ ସଲ୍ଟଲେକ୍ ଷ୍ଟାଡିୟମରେ ପାଖାପାଖି ୫୮ ହଜାର ଲୋକ ତାଙ୍କୁ ଷ୍ଟାଣ୍ଡିଂ ଓଭେସନ୍ ଦେଇଥିଲେ। କୁଏତ ସହ ଭାରତର ମ୍ୟାଚ୍ ଡ୍ର ରେ ଶେଷ ହୋଇଥିଲେ ମଧ୍ୟ ଏହା ପରେ ସମସ୍ତଙ୍କ ନଜର ସୁନୀଲ ଛେତ୍ରୀଙ୍କ ଉପରେ ଯାଇଥିଲା।

ତାଙ୍କୁ ଭାରତର ପୂରା ଦଳ ଗାର୍ଡ ଅଫ୍ ଅନର ମଧ୍ୟ ଦେଇଥିଲା, କିନ୍ତୁ ଏହି ମୁହୂର୍ତ୍ତ ତାଙ୍କୁ ଭାବପ୍ରବଣ କରିଦେଇଥିଲା। ସୁନୀଲ ନିଜ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଜର୍ସିରେ ଲୁହ ପୋଛିଥିବା ଦେଖିବାକୁ ମିଳିଥିଲା । ସୁନୀଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ମ୍ୟାଚ୍ ଖେଳି ୯୪ ଗୋଲ ସ୍କୋର କରିଥିଲେ। ସୁନୀଲ ଇତିହାସରେ ଭାରତୀୟ ଦଳ ପାଇଁ ଆଜି ପର୍ଯ୍ୟନ୍ତ ସର୍ବାଧିକ ୪ଟି ହ୍ୟାଟ୍ରିକ୍ ସ୍କୋର କରିଛନ୍ତି। ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରେ ବିଶ୍ୱର ଚତୁର୍ଥ ସର୍ବାଧିକ ଗୋଲ୍ ସ୍କୋରର। ଏହି ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୮), ଇରାନର ଅଲି ଡାଇ (୧୦୮) ଓ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୬) ଆଗରେ ଅଛନ୍ତି।