fbpx

କେନ୍ଦ୍ରରେ ପୁଣି ମନ୍ତ୍ରୀ ହେବେ ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ୍ ଓରାମ! PMOରୁ ଆସିଲା ଫୋନ୍ କଲ- ସୂତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ତରଫରୁ ଫୋନ୍ କଲ୍ ଯାଇଛି । ଏଥିସହିତ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହିତ ମୋଦୀ ଆଲୋଚନା କରିବେ । ରାଜନାଥ ସିଂହ, ନୀତିନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ଜୀତନରାମ ମାଂଝୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜୟନ୍ତ ଚୌଧରୀ, ଅନୁପ୍ରିୟା ପଟେଲ, ଅର୍ଜୁନରାମ ମେଘୱାଲ, ଚିରାଗ ପାଶୱାନ, ଜେଡିୟୁର ରାମନାଥ ଠାକୁର, ଟିଡିପିର ରାମମୋହନ ନାଇଡ଼ୁ ଓ ଡ. ଚନ୍ଦ୍ରଶେଖରଙ୍କ ନିକଟକୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ।

ତେବେ ଏଥର ବିଜେପି ଓଡ଼ିଶାରୁ ୨୦ଟି ଲୋକସଭା ଆସନ ପାଇଥିବାରୁ ମୋଦୀ କ୍ୟାବିନେଟରେ ଓଡ଼ିଶାର କିଛି ସାଂସଦଙ୍କୁ ମନ୍ତ୍ରୀମଦ ମିଳିପାରେ । ଏଥର ଓଡ଼ିଶାର ଅତିକମରେ ୩ ଜଣ ସାଂସଦଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ଚର୍ଚ୍ଚାର ସର୍ବାଗ୍ରେ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରହିଛି । ସେହିପରି ଲୋକସଭାର ପରବର୍ତ୍ତୀ ବାଚସ୍ପତି ପଦ ପାଇଁ ଚଳିତ ଥର କଟକ ଲୋକସଭା ଆସନରୁ ବିଜୟୀ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ଏକ ସୂତ୍ର ମୁତାବକ, କେନ୍ଦ୍ରରେ ପୁଣି ଥରେ ମନ୍ତ୍ରୀ ହେବାକୁ ଯାଉଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ୍ ଓରାମ । ଏହି ଦୁଇ ସାଂସଦଙ୍କ ପାଖକୁ ପିଏମଓରୁ ଫୋନ୍ କଲ୍ ଯାଇଥିବା ସେମାନେ କହିଛନ୍ତି ।

Get real time updates directly on you device, subscribe now.