fbpx

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନଙ୍କୁ ଖୋଜିବେ ରାଜ୍ୟବାସୀ: ଦୀର୍ଘ ୨୭ ବର୍ଷର ହୃଦୟର ସମ୍ପର୍କ କ’ଣ ଏତେ ଶୀଘ୍ର ଭାଙ୍ଗିଯିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି ଅପରାଜେୟ ରହିଥିବା ବିଜେଡି ଅପ୍ରତ୍ୟାଶିତ ଭାବେ ଚଳିତ ବିଧାନସଭା ନିର୍ବାଚନରେ ଧରାଶାୟୀ ହୋଇଯାଇଛି । ଆଉ ବିଜେଡିର ଏହି ବୃହତ୍ ପରାଜୟ ପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ବିଜୟ ଯାତ୍ରାରେ ରୋକ ଲାଗିଛି । ଆଉ ମାତ୍ର ୭୪ ଦିନ କ୍ଷମତାରେ ରହିଥିଲେ ଦେଶର ସର୍ବାଧିକ ସମୟ ଶାସନ ଗାଦିରେ ରହିଥିବା ମୁଖ୍ୟମନ୍ତ୍ରୀ ଭାବେ ନବୀନ ରଚିଥାନ୍ତେ ଇତିହାସ । ୧୯୯୭ ମସିହାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କର କନିଷ୍ଠ ପୁତ୍ର ନବୀନ ଅଚାନକ ରାଜ୍ୟ ରାଜନୀତିରେ ପାଦ ଥାପିଥିଲେ । ରାଜନୀତିର କ’ ଅକ୍ଷର ଜାଣିନଥିବା ନବୀନ ଦୀର୍ଘ ୨୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ବହୁ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ।

ମାତ୍ର ଆଜି ସମୟ ବଦଳିଯାଇଛି ଆଉ ତା’ ସହିତ ରାଜ୍ୟବାସୀ ପରିବର୍ତ୍ତନ ସପକ୍ଷରେ ମତଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆରମ୍ଭ ହେବ ଓ ଆସନ୍ତା ୧୨ ତାରିଖରେ ରାଜ୍ୟରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଅତୀତରେ ଏଇ ଓଡ଼ିଶା ମାଟି ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି, ଆଉ ଭବିଷ୍ୟତରେ ମଧ୍ୟ ଦେଖିବ । ମାତ୍ର ସମସ୍ତେ କ’ଣ ନବୀନଙ୍କ ପରି ହୋଇ ପାରିବେ? ରାଜ୍ୟରେ ବିଜେପି ସରକାରର ବିଜୟ ପରେ ସମସ୍ତେ ଯେତିକି ଖୁସି ହୋଇନଥିଲେ ତା’ଠାରୁ ଅଧିକ ଦୁଃଖୀ ହୋଇଥିଲେ ନବୀନଙ୍କ ପରି ଶାନ୍ତ, ସ୍ୱଚ୍ଛ, ନମ୍ର ରାଜନେତାଙ୍କୁ ହରାଇ । ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ନବୀନଙ୍କ ପ୍ରତି ଅଜସ୍ର ଭଲ ପାଇବା ରହିଛି । ଆଜି ବି ସୋସିଆଲ ମିଡ଼ିଆରେ ନବୀନଙ୍କ ପାଇଁ ଶେୟାର ହେଉଥିବା ଅନେକ ପୋଷ୍ଟ ଆଖିକୁ ଓଦା କରି ପକାଉଛି ।

ତେବେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ଏବେ ବି ସ୍ପଷ୍ଟ ହୋଇନାହିଁ । ୨୦୦୦ ମସିହାରେ ନବୀନ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ରାଜ୍ୟର କୌଣସି ପୁରପଲ୍ଲୀରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଆଜି ବିବାହ କରି ଘର ସଂସାର କରିସାରିଲାଣି । ଏହା ମଧ୍ୟରେ ୫ଟି ସାଧାରଣ ନିର୍ବାଚନ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ କିନ୍ତୁ ବଦଳି ନଥିଲା । କାରଣ ବର୍ଷ ବର୍ଷ ଧରି ରାଜ୍ୟକୁ ଜଣେ ମୁଖ୍ୟମନ୍ତ୍ରୀ ଶାସନ କରିଆସୁଥିଲେ । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ରାଜ୍ୟବାସୀଙ୍କର ଯେଉଁ ସେବା କରିଛନ୍ତି ତାହାକୁ କ’ଣ ସେମାନେ ହୃଦୟରୁ ଫିଙ୍ଗି ଦେଇ ପାରିବେ । ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଗକୁ ବଢ଼ୁ, ବିକାଶ ପଥରେ ଅଗ୍ରସର ହେଉ । ମାତ୍ର ଏକଥା ସତ ଯେ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଭିତରେ ରାଜ୍ୟବାସୀ ନବୀନଙ୍କୁ ଖୋଜିବେ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.