fbpx

ମାତ୍ର ୧୯ ବଲରେ ମ୍ୟାଚ ଜିତିଲା ଇଂଲଣ୍ଡ: Eng vs Oman ମ୍ୟାଚରେ ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ଖୁବ ରୋମାଞ୍ଚକର ହୋଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦେଖିବାକୁ ମିଳୁଛି ବଡ଼ ଫାଇଟ୍ । ଏହି ଟୁର୍ଣ୍ଣାମେଣ୍ଟର ଅନେକ ମ୍ୟାଚରେ ବିପର୍ଯ୍ୟୟ ଦେଖିବାକୁ ମିଳିଥିବା ବେଳେ ଆଜି ଓମାନ ବିପକ୍ଷରେ ମହାରେକର୍ଡ ସୃଷ୍ଟି କରିଛି ପୂର୍ବ ଚମ୍ପିଆନ୍ ଇଂଲଣ୍ଡ । ଓମାନ ଦେଇଥିବା ବିଜୟ ଲକ୍ଷ୍ୟକୁ ମାତ୍ର ୧୯ ବଲ(୩.୧ ଓଭର)ରେ ହାସଲ କରି ଇଂଲଣ୍ଡ ଐତିହାସିକ ବିଜୟଲାଭ କରିଛି । ସବୁଠାରୁ କମ୍ ବଲରେ ବିଜୟ ହାସଲ କରିବା ତାଲିକାରେ ଟି-୨୦ ବିଶ୍ୱକପ ଇତିହାସରେ ବିରଳ ରେକର୍ଡ କରିଛି ଇଂଲଣ୍ଡ । ଟି-୨୦ ମ୍ୟାଚରେ ୧୦୧ ବଲ୍ ବାକି ଥାଇ ବିଜୟଲାଭ କରିଛି ଡିଫେଣ୍ଡିଂ ଚମ୍ପିଆନ୍ । ଏହାସହିତ ଆହୁରି ଅନେକ ରେକର୍ଡ ନିଜ ନାମରେ କରିଛି ବଟଲର ବାହିନୀ ।

ଓମାନ ବିପକ୍ଷ ଏହି ବିଜୟ ପରେ ଟି-୨୦ ବିଶ୍ୱକପର ସୁପର-୮ରେ ଏଣ୍ଟ୍ରି ମାରିବା ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି । ଏହାପୂର୍ବରୁ ସୁପର-୮ରେ ପହଞ୍ଚିବା ପାଇଁ ଇଂଲଣ୍ଡକୁ ଏହି ମ୍ୟାଚରେ ବଡ଼ ବିଜୟର ଆବଶ୍ୟକ ରହିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଓମାନକୁ ମାତ୍ର ୧୩.୧ ଓଭରରେ ୪୭ ରନରେ ଅଲ-ଆଉଟ କରିଥିଲା । ତେବେ ବିଜୟ ପାଇଁ ମାତ୍ର ୪୮ ରନ୍ ଲକ୍ଷ୍ୟ ମିଳିଥିବା ବେଳେ ମାତ୍ର ୩.୧ ଓଭର ବା ୧୯ ବଲରେ ୨ ୱିକେଟ ହରାଇ ଏହାକୁ ହାସଲ କରିବାରେ ସଫଳ ହୋଇଛି ବଟଲର ସେନା । ଏହି ବିଜୟରେ ୩ ଅଙ୍କ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ପହଞ୍ଚିଛି ଇଂଲଣ୍ଡ । ଏହାସହିତ ସ୍କଟଲାଣ୍ଡ(୨.୧୬୪) ଅନୁସାରେ, ଇଂଲଣ୍ଡ(୩.୦୮୧) ରନ୍ ରେଟ୍ ମାମଲାରେ ମଧ୍ୟ ଖୁବ ଆଗରେ ପହଞ୍ଚିଛି । ବର୍ତ୍ତମାନ ଇଂଲଣ୍ଡକୁ ସୁପର-୮କୁ ଯିବା ପାଇଁ ଏହି ରନ୍ ରେଟ୍ ଖୁବ ସହାୟକ ହୋଇପାରିବ ।

୪୮ ରନ୍ ବିଜୟ ଲକ୍ଷ ନେଇ ମଇଦାନକୁ ଆସିଥିଲେ ଇଂଲଣ୍ଡର ଷ୍ଟାର ଓପନର ଫିଲ ସଲ୍ଟ ଏବଂ ଅଧିନାୟକ ଜୋସ ବଟଲର । ବିଲାଲ ଖାନ୍ ଇନିଂସର ପ୍ରଥମ ଓଭର ବୋଲିଂ କରିଥିବା ବେଳେ ଏହି ଓଭରର ପ୍ରଥମ ଦୁଇଟି ବଲରେ ୨ଟି ଛମକା ମାରିଥିଲେ ସଲ୍ଟ । ତେବେ ତୃତୀୟ ବଲରେ ବିଲାଲ ତାଙ୍କ ୱିକେଟ ନେଇ ଏହାର ପ୍ରତିଶୋଧ ନେଇଛନ୍ତି । ଏହାବ୍ୟତୀତ ଅଧିନାୟକ ଜୋସ ବଟଲର ମଧ୍ୟ ୮ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ସହ ୨୪ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ୱିଲ ଜ୍ୟାକ୍ସ ୫ରନ୍ ଏବଂ ଜନି ବେୟାରଷ୍ଟୋ ୨ଟି ବଲରେ ୨ଟି ଚୌକା ସହ ୮ ରନ୍ କରି ବିଜୟ ହାସଲ କରିଛି ।

Get real time updates directly on you device, subscribe now.