fbpx

ପାଣିର ରଙ୍ଗ ବଦଳିଲେ ଆସେ ବିପତ୍ତି! ଏହି କୁଣ୍ଡ କୁହେ କାଶ୍ମୀରର ଭବିଷ୍ୟତ: ଜାଣନ୍ତୁ କ୍ଷୀର ଭବାନୀ ମନ୍ଦିରର ରହସ୍ୟ

ଓଡ଼ିଶା ଭାସ୍କର: କାଶ୍ମୀର ଘାଟିର ଗାନ୍ଦରବଲ ଜିଲ୍ଲାରେ ଅବସ୍ଥିତ କ୍ଷୀର ଭବାନୀ ମନ୍ଦିର, କାଶ୍ମୀରର ଆଗାମୀ ଭବିଷ୍ୟତ ବିଷୟରେ ଦେଇଥାଏ ସୂଚନା । କାଶ୍ମୀରକୁ ବିପଦ ଆସିବା ପୂର୍ବରୁ ଏହି ମନ୍ଦିର ଦେଇଥାଏ ସଂକେତ । ପ୍ରତ୍ୟେକବର୍ଷ ଏଠାରେ ମେଳା ଲାଗିଥାଏ । କାଶ୍ମୀରୀ ପଣ୍ଡିତ ମାନଙ୍କ ପାଇଁ ଏହି ମନ୍ଦିର ଏବଂ ମେଳା ଖୁବ ଗୁରୁତ୍ୱ ବହନ କରେ । ପ୍ରତିବର୍ଷ ହଜାର ହଜାର କାଶ୍ମୀରୀ ପଣ୍ଡିତ କ୍ଷୀର ଭବାନୀ ମନ୍ଦିରର ମେଳାରେ ସାମିଲ ହେବାକୁ ଏଠାରେ ପହଞ୍ଚିଥାନ୍ତି । ତେବେ ଆଜି କ୍ଷୀର ଭବାନୀ ମନ୍ଦିରରେ ମହାପର୍ବ ଅନୁଷ୍ଠିତ ହେଉଛି । ତେଣୁ କାଶ୍ମୀରୀ ପଣ୍ଡିତଙ୍କୁ ନେଇ ୨୦୦ରୁ ଅଧିକ ବସ୍ ମନ୍ଦିରରେ ପହଞ୍ଚିଛି । ଏହି ମନ୍ଦିର ବେଶ୍ ରହସ୍ୟମୟୀ ଏବଂ ଚମତ୍କାରୀ ବୋଲି କୁହାଯାଏ । ଏହି ମନ୍ଦିରରେ ଥିବା କୁଣ୍ଡ କାଶ୍ମୀରକୁ ଆସୁଥିବା ବିପଦର ପୂର୍ବଭାଷ ଦେଇଥାଏ ବୋଲି ବିଶ୍ୱାସ ରହିଛି ।

କ୍ଷୀର ଭବାନୀ ମନ୍ଦିରରେ ଏକ ଜଳକୁଣ୍ଡ ରହିଛି । ଏହି କୁଣ୍ଡରେ ଥିବା ପାଣିର ରଙ୍ଗ ପରିବର୍ତ୍ତନ ହେଲେ, ଏହାକୁ କାଶ୍ମୀର ପ୍ରତି ଏକ ବଡ଼ ବିପଦର ଆଶଙ୍କା ବୋଲି ବିଶ୍ୱାସ କରାଯାଏ । ଏହା ସତ ବୋଲି ପ୍ରମାଣିତ ହେବାର ଅନେକ ଉଦାହରଣ ମଧ୍ୟ ରହିଛି । କୁହାଯାଏ, ଏହି କୁଣ୍ଡ ନିଜ ପାଣିର ରଙ୍ଗ ବଦଳାଇ କାଶ୍ମୀର ପ୍ରତି ଥିବା ବିପତ୍ତିର ସଂକେତ ଦେଇଥାଏ ।

  • ୧୯୪୭ ମସିହାରେ କାଶ୍ମୀର ଉପରେ କବାୟଲୀ ଆକ୍ରମଣ ହୋଇଥିଲା । ଏହି ବର୍ଷରେ ମଧ୍ୟ ପବିତ୍ର ଝରଣା ପାଣିର ରଙ୍ଗ କଳା ହୋଇ ଯାଇଥିଲା । ଏହାସହିତ କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ଏଠାରେ କଳା ରଙ୍ଗର ପାଣି ଦେଖିବାକୁ ମିଳିଥିଲା ।
  • ୧୯୯୦ ମସିହାରେ ଏହି ଜଳକୁଣ୍ଡର ପାଣି କଳା ପଡ଼ି ଯାଇଥିଲା । ଏହିବର୍ଷ ସ୍ଥାନୀୟ ପଣ୍ଡିତମାନଙ୍କ ଉପରେ ଅତ୍ୟାଚାର ହେବା ସହ ସେମାନଙ୍କୁ ଘାଟି ଚାଡ଼ି ଯିବାକୁ ପଡ଼ିଥିଲା ।
  • ସେହିପରି ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ବଢିବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟ ଏଠାକାର ପାଣିର ରଙ୍ଗ କଳା ପଡ଼ି ଯାଇଥିଲା ।
  • ୨୦୧୪ ମସିହାରେ କାଶ୍ମୀରରେ ଭୟାନକ ବନ୍ୟା ବିପନ୍ନ ଘଟିଥିଲା । ଏହି ବିପତ୍ତି ପୂର୍ବରୁ କ୍ଷୀର ଭବାନୀ ମନ୍ଦିରରେ ଥିବା ଏହି ଜଳକୁଣ୍ଡରେ ମଧ୍ୟ କଳା ପାଣି ବହିଥିଲା ।
  • ତେବେ ଯଦି କୁଣ୍ଡରେ ପାଣିର ରଙ୍ଗ ନୀଳ ବା ଧଳା ରହିଥାଏ, ତେବେ ଏହା ଖୁସି ଏବଂ ସଫଳତା ଆଣିଥାଏ । ଚଳିତବର୍ଷ ଏହି ପାଣି ହାଲକା ନୀଳ ରଙ୍ଗ ଧାରଣ କରିଛି ।

ଦେବୀ ଦୁର୍ଗାଙ୍କ ଏହି କ୍ଷୀର ଭବାନୀ ମନ୍ଦିର ଏକ ସୁନ୍ଦର ଝରଣା ମଧ୍ୟରେ ନିର୍ମାଣ କରାଯାଇଛି । କ୍ଷୀର ଭବାନୀ ମନ୍ଦିରକୁ ନେଇ ଏକ ମାନ୍ୟତା ରହିଛି ଯେ, ଲଙ୍କାପତି ରାବଣ ମାତା ସୀତାଙ୍କୁ ହରଣ କରିବାରୁ ମାତା ରାବଣର ଏହି କାର୍ଯ୍ୟରେ କ୍ରୋଧିତ ହୋଇ ଯାଇଥିଲେ । ତେଣୁ କ୍ରୋଧିତ ଅବସ୍ଥାରେ ସେ ନିଜ ସ୍ଥାନ ତ୍ୟାଗ କରି କାଶ୍ମୀରର ଏହି ସ୍ଥାନରେ ବିରାଜମାନ ହୋଇଥିଲେ । ଦେବୀ ଦୁର୍ଗାଙ୍କ ଏହି ମନ୍ଦିରରେ ପ୍ରସାଦ ଭାବରେ କ୍ଷୀର ହିଁ ଲାଗି ହୋଇଥାଏ, ସେଥିପାଇଁ ଏହି ମନ୍ଦିରର ନାମ କ୍ଷୀର ଭବାନୀ ମନ୍ଦିର ବୋଲି କୁହାଯାଇଛି ।

Get real time updates directly on you device, subscribe now.