fbpx

ଡ୍ରେନ୍ ଟ୍ରାଜେଡି; ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ‘ଡ୍ରେନେଜ ଡିଭିଜନ’ର ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଜୁନ୍ ୧୮ତାରିଖ ଦିନ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ ୯ବର୍ଷର ବାଳକ ନାଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ନାଳରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ବାଳକଟି ଏଭଳି ଦୁର୍ଘଟଣାର ଶିକାର ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ବାଳକର ପରିବାର ପାଇଁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କ ଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମନ୍ତ୍ରୀ। କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ ।

ଋିପୋର୍ଟଟି ହସ୍ତଗତ ହେବାପରେ ଆଜି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ସ୍ଥାନରେ ପିଲାଟି ନାଳରେ ପଡି ଭାସି ଯାଇଥିଲା ସେହି ସ୍ଥାନରେ ବାଡ ଲଗାଯାଇନଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଭଳି ସମ୍ବେଦନଶୀଳ ସ୍ଥାନରେ ବାଡ ନଲଗାଇବା ପାଇଁ ୫ ନମ୍ବର ଡ୍ରେନ ଡିଭିଜନ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଦାୟୀ କରାଯାଇଛି। ତଦନୁଯାୟୀ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଶ୍ରୀ ଦାସଙ୍କୁ ଆଜି ନିଲମ୍ବନ କରିଛନ୍ତି।

Get real time updates directly on you device, subscribe now.