fbpx

ଯୁବ ଚେତନା ଦ୍ୱାରା ବିଶିଷ୍ଟ କୃଷକ-ଶ୍ରମିକ ନେତା ସ୍ୱାମୀ ସହଜାନନ୍ଦ ସରସ୍ୱତୀଙ୍କ ସ୍ମୃତି ସମାରୋହ ପାଳିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ କନଷ୍ଟିଟ୍ୟୁସନାଲ କ୍ଲବ ଅଫ୍ ଇଣ୍ଡିଆର ସ୍ପିକର ହଲରେ ଦେଶର ମହାନ କୃଷକ-ଶ୍ରମିକ ନେତା ସ୍ୱାମୀ ସହଜାନନ୍ଦ ସରସ୍ୱତୀଙ୍କ ସ୍ମୃତି ସମାରୋହ ଯୁବ ଚେତନା ଦ୍ୱାରା ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ୱାମୀ ଅଭିଷେକ ବ୍ରହ୍ମଚାରୀ, ଭାରତ ସରକାରଙ୍କ କପଡ଼ା ମନ୍ତ୍ରୀ ଗିରିରାଜ ସିଂହ, ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ମୟୁଖ, ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତ କୁମାର ସିଂହ, ଲାଲବହାଦୁର ଶାସ୍ତ୍ରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ଦୀପ ପ୍ରଜ୍ୱଳନ କରି ଏହି ସ୍ମୃତି ସମାରୋହକୁ ଶୁଭାରମ୍ଭ କରିଥିଲେ ।

ଏହି ସମାରୋହକୁ ଉଦଘାଟନ କରିବା ଅବସରରେ ସ୍ୱାମୀ ଅଭିଷେକ ବ୍ରହ୍ମଚାରୀ କହିଥିଲେ, ସ୍ୱାମୀ ସହଜାନନ୍ଦ ସରସ୍ୱତୀ ବିଶ୍ୱର ମହାନତମ କୃଷକ-ଶ୍ରମିକ ନେତା ଥିଲେ । ସ୍ୱାମୀ ସହଜାନନ୍ଦ ଜଣେ ସନ୍ଥ ଭାବେ ରାଷ୍ଟ୍ର ନିର୍ମାଣ ପାଇଁ ସଂଘର୍ଷ କରିଆସିଥିଲେ । ସେ ଗରିବ ଲୋକଙ୍କ ପାଇଁ ଭଗବାନ ଥିଲେ । ସେହିପରି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଥିଲେ, ସ୍ୱାମୀ ସହଜାନନ୍ଦ ସରସ୍ୱତୀ ଜମିଦାରଙ୍କ ବିରୋଧରେ ଲଢ଼େଇ କରିଥିଲେ । ବିହାର ସମେତ ସାରା ଦୁନିଆରେ ସ୍ୱାମୀଙ୍କ ପରି ଜଣେ ପ୍ରବର୍ତ୍ତକ ଦେଖିବାକୁ ମିଳିବ ନାହିଁ ।

ସ୍ୱାମୀଜୀଙ୍କ ସ୍ମୃତିକୁ ପ୍ରତିବର୍ଷ ଉଜାଗର କରିବାକୁ ନେଇ ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତ କୁମାର ସିଂହଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଧନ୍ୟବାଦ ଦେଇଥିଲେ । ସନାତନକୁ ବଞ୍ଚାଇବାକୁ ଏବେ ଆମ ପାଇଁ ସମୟ ଆସିଯାଇଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ କୃଷକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସ୍ୱାମୀଜୀ ଦେଖାଇଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ଅନୁସରଣ କରି ଆଗକୁ ବଢ଼ୁଛନ୍ତି । କଂଗ୍ରେସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗଠବନ୍ଧନ ଗରିବ ବିରୋଧୀ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ବିହାରକୁ ବଞ୍ଚାଇବାକୁ ଆମେ ଲଢ଼େଇ କରିଆସିଛୁ । ଜଙ୍ଗଲରାଜ ବିପକ୍ଷରେ ଲଢ଼ି ଆମର ଅନେକ ଲୋକ ସହିଦ ହୋଇଛନ୍ତି । ୨୦୨୫ ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବଙ୍କ ଅହକଙ୍କାରକୁ ଭାଙ୍ଗିବା ପାଇଁ ଆମକୁ ତାଙ୍କୁ ୨୫ଟି ଆସନ ଭିତରେ ସୀମିତ ରଖିବାକୁ ପଡ଼ିବ । ବିହଟାର ବିମାନବନ୍ଦର ଓ ରେଲୱେ ଷ୍ଟେସନ ସ୍ୱାମୀଜୀଙ୍କ ନାମରେ ହେବା ଉଚିତ । ଗୋଟିଏ କୃଷି ବିଶ୍ୱବିଶ୍ୱବିଦ୍ୟାଳୟ ସ୍ୱାମୀଙ୍କ ନାମରେ ସମର୍ପିତ ହେବା ଦରକାର । ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରହିଛି ବୋଲି ସେ କହିଥିଲେ ।

ସେହିପରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଡା. ସଞ୍ଜୟ ମୟୁଖ କହିଥିଲେ, ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତଙ୍କ ୩ଟି ଦାବିକୁ ପୂରଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରିବି । ସ୍ୱାମୀଜୀ ସାରା ଜୀବନ ଗରିବ ବର୍ଗର ଲୋକଙ୍କ ସାମଗ୍ରୀକ ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥିଲେ । ସ୍ୱାମୀଜୀଙ୍କର ଯୋଗଦାନକୁ ଭୁଲି ହେବ ନାହିଁ ବୋଲି ଡା. ମୟୁଖ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ଓଡ଼ିଆ ନ୍ୟୁଜ୍ ପେପର ‘ଓଡ଼ିଶା ଭାସ୍କର’ର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି, ଲାଲବହାଦୁର ଶାସ୍ତ୍ରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡା. ମୁରଲୀ ମନୋହର ପାଠକ, ଏଚଏନ ଶର୍ମା, ଅଞ୍ଜନୀ କୁମାର ରାଜୁ, ରଞ୍ଜିତ ଚୌଧରୀ, ରାଜେନ୍ଦ୍ର ଯାଦବ, କାଶୀନାଥ ରାୟ, ହରେନ୍ଦ୍ର ପାସୱାନ, ମୋହନ ରାମ, ରାକେଶ ମହତୋ, ଅଶଫାକ ଖାନ ପ୍ରମୁଖ ବ୍ୟକ୍ତିବିଶେଷ ଏହି ସ୍ମୃତି ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.