ଗୁଡ଼ି ସହ ଉଡ଼ିଗଲା ୩ ବର୍ଷର ଶିଶୁକନ୍ୟା: ୩୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଆକଶକୁ ଉଡ଼ିଗଲେ… ଆଉ ତା’ପରେ

ଓଡ଼ିଶା ଭାସ୍କର: ଭାରତରେ ଗୁଡ଼ି ଉଡ଼ାଇବା ପରମ୍ପରା ଖୁବ ଲୋକପ୍ରିୟ । ବିଭିନ୍ନ ପର୍ବପର୍ବାଣୀରେ ଗୁଡ଼ି ଉଡ଼ାଇ ଏହାର ମଜା ନେଇଥାନ୍ତି ଭାରତବାସୀ । ରଜ, ମକର ସଂକ୍ରାନ୍ତି ଇତ୍ୟାଦିରେ ଗୁଡ଼ି ଉଡ଼ାଇବାକୁ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ହସଖୁସି ଭରି ଦେଉଥିବା ଏହି ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ଅନେକ ସମୟରେ ବିପଦ ପାଲଟିଯାଏ । ବେଳେ ବେଳେ ଏହାର ମାଞ୍ଜା ସୂତା ଲୋକଙ୍କ ବେକରେ ଲାଗି ଅନେକ ଲୋକଙ୍କର ମୃତ୍ୟୁ ହୋଇଥିରା ବେଳେ ଆହୁରି ଅନେକ ପ୍ରକାରର ଅଘଟଣା ମଧ୍ୟ ହୋଇଥାଏ । ବର୍ତ୍ତମାନ ଏକ କୁନି ଝିଅ ଗୁଡ଼ି ଉଡ଼ାଉଥିବା ବେଳେ ପିଲାଟି ଗୁଡ଼ି ସହ ଆକାଶକୁ ଉଡ଼ିଯାଇଛି । ପ୍ରାୟ ୩୦ ଫୁଟ ଉଚ୍ଚକୁ ଉଡ଼ିବା ପରେ ପିଲାଟିକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ‘କାଇଟ୍ ଫେଷ୍ଟିଭାଲ’ ସମୟରେ ଗୁଡ଼ି ଉଡ଼ାଇବା ବେଳେ ପ୍ରାୟ ୩୦ ଫୁଟ ଉଚ୍ଚକୁ ଉଡି ଯାଇଛନ୍ତି ୩ ବର୍ଷର ଶିଶୁକନ୍ୟା । ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ ହୋଇଯାଇଛନ୍ତି । ଭିଡିଓଟି ତାଇୱାନର ହୋଇଥିବା ବେଳେ ଶିଶୁକନ୍ୟା ମଧ୍ୟ ଉତ୍ସବରେ ଗୁଡ଼ି ଉଡାଇବାକୁ ଆସିଥିଲେ । ହେଲେ ଅସାବଧାନତାବଶତଃ ଗୁଡ଼ି ସହ ଆକାଶକୁ ଉଡି ଯାଇଥିଲା ଏହି କୁନି ଝିଅ । ସହାୟତା ପାଇଁ ଚିତ୍କାର କରିଥିଲେ ହେଁ ତାହା ସମ୍ଭବପର ହୋଇପାରି ନ ଥିଲା । ହେଲେ ସୌଭାଗ୍ୟବଶତଃ ପବନର ପ୍ରବାହ କମ୍ ହେବା ଯୋଗୁ ସେ ତଳକୁ ଖସିଥିଲେ । ଶେଷରେ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଶିଶୁକନ୍ୟାଜଣଙ୍କ ଗୁରୁତର ଆହତ ହୋଇ ନ ଥିଲେ ହେଁ ଘଟଣାକୁ ନେଇ ସେ ସ୍ତବ୍ଧ ହୋଇଯାଇଥିବା ପରିବାରଲୋକେ କହିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ।