ହାଥରସରେ ମଲେଣି ୧୨୧, ପ୍ରୟାଗରାଜରେ ମରିଥିଲେ ୫୦୦, ଧାର୍ମିକ ଆୟୋଜନରେ କାହିଁକି ଅଧିକ ହୁଏ ଦଳାଚକଟା

ଓଡିଶା ଭାସ୍କର: ହାଥରସର ସିକନ୍ଦରାରାଉସ୍ଥିତ ବାବା ନାରାୟଣ ସାକାର ହରି ଭୋଳାର ଏକ ସତସଙ୍ଗ ସଭାରେ ଦଳାଚକଟାରେ ପ୍ରାୟ ୧୨୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି ଓ ୨୮ ଜଣ ଏବେ ବି ଗୁରୁତର ଅଛନ୍ତି, ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଥିରେ ଅଧିକାଂଶ ମହିଳାଙ୍କ ମୃତ୍ୟୁୁ ହୋଇଛି । ଭାରତରେ ଧାର୍ମିକ ଆୟୋଜନ ସମୟରେ ଅଧିକାଂଶ ସମୟରେ ଦଳାଚକଟାରେ ବଡଧରଣର ଅଘଟଣ ଘଟେ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦୃଷ୍ଟିଗୋଚର ହୋଇଛି ଦେଶରେ । ତେବେ ଦଳାଚକଟାରେ କାହିଁକି ଅଧିକ ମହିଳାଙ୍କ ମୃତ୍ୟୁ ହୋଇଥାଏ ଜାଣନ୍ତି!

୨୦୧୫ ମସିହାରେ ବି ଆନ୍ଧ୍ରପ୍ରଦେଶର ଗୋଦାବରୀ ପୁଷ୍କରମ୍ରେ ମଙ୍ଗଳବାର ଦିନ ଧାର୍ମିକ ସ୍ନାନ ଉତ୍ସବ ଦିନ ପ୍ରାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ତୀର୍ଥଯାତ୍ରୀମାନେ ନଦୀ ପାଖକୁ ଦୌଡି ନିଜ ନିଜର ଜୋତା ଉଠାଇବାରେ ବ୍ୟସ୍ତ ଥିଲେ । ସେହିଭଳି ୨୦୧୪ ମସିହାରେ ମଧ୍ୟ ୧୮ ଲୋକଙ୍କ ମୃତ୍ୟୁ ହୋଇଛି । ଯେତେବେଳେ ଶ୍ରଦ୍ଧାଳୁମାନେ ଦାଉଦୀ ବୋହରା ସମ୍ପ୍ରଦାୟର ଆଧ୍ୟାତ୍ମିକ ନେତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯାଇଥିଲେ ଏହି ଘଟଣା ସେହି ସମୟରେ ଘଟିଥିଲା । ସେହିଭଳି ମଧ୍ୟପ୍ରଦେଶର ରତନଗଡରେ ମଧ୍ୟ ୧୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ନବରାତ୍ର ସମୟରେ ଘଟିଥିଲା । ୨୦୧୩ ମସିହାରେ ଇଲାହାବାଦ କୁମ୍ଭମେଳାରେ ମଧ୍ୟ ୩୫ ଜଣ ଓ ୧୯୫୪ ମସିହା ଫେବୃଆରୀ ୧୪ ତାରିଖରେ ପ୍ରୟାଗରାଜରେ ସମାନ କୁମ୍ଭମେଳାରେ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ଘଟିଥିଲା ।

ପ୍ରାୟ ୮୦ ପ୍ରତିଶତ ଦଳାଚକଟା ଧାର୍ମିକ ଆୟୋଜନରେ ହିଁ ହୋଇଥାଏ । ଆକଳନ ଅନୁସାରେ, ୨୦୦୦ ରୁ ୨୦୧୩ ମସିହାରେ ଦଳାଚକଟାରେ ପ୍ରାୟ ୨ ହଜାର ଲୋକ ମରିଛନ୍ତି । ଇଣ୍ଟରନ୍ୟାସନାଲ ଜର୍ନଲ ଅଫ ଡିଜାଷ୍ଟର ରିକ୍ସ ରିଡକ୍ସନ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ କହେ ଯେ, ଭାରତରେ ୭୯ ପ୍ରତିଶତ ଦଳାଚକଟା ଧାର୍ମିକ ସଭା ଓ ତୀର୍ଥଯାତ୍ରା ପାଇଁ ହୋଇଥାଏ । କାରଣ ଏଭଳି ସଭାସ୍ଥଳଗୁଡିକରେ ଗୋଟିଏ ମାତ୍ର ପ୍ରସ୍ଥାନ ସ୍ଥାନ ଥାଏ । ତାହାସହ ଅଧିକାଂଶ ଧାର୍ମିକ ଉତ୍ସବ ପାହାଡ, ନଦୀତଟ ତଥା ପର୍ବତ ଭଳି ସ୍ଥାନଗୁଡିକରେ ହୁଏ । ଏହିସ୍ଥାନ ଗୁଡିକରେ ଭିଡ କାରଣରୁ ମୁକ୍ତ ଜାଗା ମିଳି ନ ଥାଏ । ହାଥରସ ଦଳାଚକଟାରେ ଅଧିକାଂଶ ମହିଳାଙ୍କ ମୃତ୍ୟୁ ହୋଇଛି । ଦଳଚକଟାରେ ପ୍ରାୟ ସବୁ ସମୟରେ ଅଧିକାଂଶ ମହିଳାଙ୍କ ହିଁ ଜୀବନ ଯାଏ । କାରଣ ମହିଳାମାନେ ଅଧିକ ଧାର୍ମିକ ହୋଇ ଥାଆନ୍ତି ଓ ଏଭଳି ସଭାରେ ସେମାନଙ୍କ ଉପସ୍ଥିତି ଅଧିକ । ଦଳାଚକଟା ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶାରୀରିକ କ୍ଷମତା କମ୍ ଥିବା କାରଣରୁ ମୃତ୍ୟୁ ହୋଇଥାଏ ।