fbpx

ବଢୁଛି ସରାୟୁ ନଦୀ… ରାମଲଲାଙ୍କ ପାଖରେ ପହଞ୍ଚିବ କି ପାଣି? ରାମ ମନ୍ଦିରରେ ବନ୍ୟା ଭୟ

ଅଯୋଧ୍ୟା: ବର୍ତ୍ତମାନ ଦେଶରେ ମୌସୂମୀ ପାଦ ଥାପିବା ପରେ ଲଗାଣ ବର୍ଷା ଜାରି ରହିଛି । ରାମନଗରୀ ଅଯୋଧ୍ୟାରେ ମଧ୍ୟ ଶନିବାର ପ୍ରବଳ ବର୍ଷା ହୋଇଛି । ରାତି ସାରା ମୁସଳଧର ବର୍ଷା ଯୋଗୁଁ ସରାୟୁ ନଦୀ ଜଳସ୍ତର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ସାରା ସହରରେ ବର୍ଷାକୁ ନେଇ ଆଲର୍ଟ ଜାରି ହୋଇଛି । ତେବେ ଅଯୋଧ୍ୟାରେ ବନ୍ୟା ସୃଷ୍ଟି ହେଲେ, ରାମ ମନ୍ଦିର ବୁଡ଼ିବା ନେଇ ମଧ୍ୟ ଆଶାଙ୍କା ଦେଖାଦେଇଛି । ତେବେ ଏଥିପାଇଁ କେତେ ପ୍ରସ୍ତୁତ ରହିଛି ରାମ ମନ୍ଦିର? ତେବେ ବନ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଅଯୋଧ୍ୟାର ଏହି ରାମ ମନ୍ଦିରକୁ ବିଶେଷ ଉପାୟରେ ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଅଯୋଧ୍ୟାରେ ବନ୍ୟା ସ୍ତିତି ସୃଷ୍ଟି ହୋଇନାହିଁ । କିନ୍ତୁ ପୂର୍ବରୁ ଏଠାରେ ବନ୍ୟା ହୋଇଥିବାରୁ ଏହାକୁ ନେଇ ଭୟ ରହିଛି । ୧୯୯୮ ମସିହାରେ ଅଯୋଧ୍ୟା(ତତ୍କାଳୀନ ଫୈଜାବାଦ ଜନପଦ)ରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ସେହି ସମୟରେ ସରାୟୁ ନଦୀ ବିପଦ ସଂକେତରୁ ୧ ମିଟର ୩୦ ସେଣ୍ଟିମିଟର ଅଧିକ ଉଚ୍ଚରେ ଜଳସ୍ତର ରହିଥିଲା । ତେବେ ରାମ ମନ୍ଦିର ସରାୟୁ ନଦୀରୁ ପ୍ରାୟ ୭୨ ଫୁଟ ଉଚ୍ଚରେ ରହିଛି । ଯଦି ବନ୍ୟାପାଣି ରାମ ମନ୍ଦିରରେ ପହଞ୍ଚିବା ଭଳି ପରିସ୍ଥିତି ହୁଏ, ତେବେ ପ୍ରଥମେ ଗୋଣ୍ଡା ଜନପଦ ଜଳାର୍ଣ୍ଣବ ହୋଇଯିବ । ଏହାବ୍ୟତୀତ ଅଯୋଧ୍ୟା ଜନପଦ ମଧ୍ୟ ପାଣି ଭିତରେ ଲୀନ ହୋଇଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ କେବେହେଲେ ରାମ ମନ୍ଦିରକୁ ବନ୍ୟାପାଣି ପହଞ୍ଚି ପାରି ନାହିଁ । ରାମ ମନ୍ଦିର ସରାୟୁ ନଦୀ ଅପେକ୍ଷା ଯଥେଷ୍ଟ ଉଚ୍ଚରେ ରହୁଥିବାରୁ ଏଠାରେ ବନ୍ୟାପାଣି ପହଞ୍ଚିବା ସମ୍ଭବ ହୋଇପାରେ ନାହିଁ । ୧ ହଜାର କୋଟି ବିନିମୟରେ ନିର୍ମାଣ ହୋଇଥିବା ଏହି ରାମ ମନ୍ଦିର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସୁରକ୍ଷିତ ରହିବା ଭଳି ଡିଜାଇନ୍ କରାଯାଇଛି । ମନ୍ଦିରକୁ ସରାୟୁ ନଦୀର ବନ୍ୟାପାଣିରୁ ରକ୍ଷା କରିବା ପାଇଁ ମନ୍ଦିର ୩ ପାଖରେ ରିଟେନିଙ୍ଗ ୱାଲ ନିର୍ମାଣ କରାଯାଇଛି । ଏହା ମାଟି ତଳେ ୧୨ ମିଟର ପର୍ଯ୍ୟନ୍ତ ରହିଥିବା ବେଳେ ଏଥିରୋ ଗ୍ରାନାଇଟ ପଥର ବ୍ୟବହାର ହୋଇଛି । ତେଣୁ ସରାୟୁ ନଦୀରେ ବନ୍ୟା ଆସିଲେ ରାମ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ।

Get real time updates directly on you device, subscribe now.