fbpx

ଆୟୁଷ୍ମାନ ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା! ସୁଧୁରିବ ଚିକିତ୍ସା ବ୍ୟବସ୍ଥା, ହେବ କି ପରିବର୍ତ୍ତନ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଏହି ବଜେଟରେ ମୋଦୀ ସରକାର ଅନେକ ଲୋକାଭିମୁଖୀ ଯୋଜନାକୁ ଗୁରୁତ୍ୱ ଦେଇପାରନ୍ତି । ବିଶେଷ କରି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ତେବେ ଏହି ବଜେଟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଯୋଜନାରେ ବୀମାର ମୂଲ୍ୟ ୫ ଲକ୍ଷକୁ ବୃଦ୍ଧି ୧୦ ଲକ୍ଷ କରିପାରନ୍ତି ସରକାର । ମୋଦୀ ୩.୦ ତରଫରୁ ଏହି ଯୋଜନାରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ଏନଡିଏ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭାର୍ଥୀମାନଙ୍କ ସଂଖ୍ୟା ଏବଂ ବୀମା ରାଶି ଉଭୟକୁ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି । ଏଥିରେ କୁହାଯାଇଛି ଯେ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଚିକିତ୍ସା ସୁବିଧା ପାଇଁ ମିଳୁଥିବା ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ରାଶିକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଇପାରେ । ଆସନ୍ତା ୩ ବର୍ଷରେ ଏନଡିଏ ସରକାର ପ୍ରମୁଖ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ୨ ଗୁଣ କରିବା ପାଇଁ ବିଚାର କରୁଛନ୍ତି । ତେବେ ଯଦି ସରକାର ଆସନ୍ତ ୩ ବର୍ଷରେ ଏହି ଯୋଜନା ଅଧୀନରେ ଲାଭାର୍ଥୀଙ୍କ ସଂଖ୍ୟା ବଢାଇବା ପାଇଁ ଘୋଷଣା କରନ୍ତି, ତେବେ ଦେଶ ପ୍ରାୟ ଦୁଇ ତୃତୀୟାଂଶ ଲୋକଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିପାରିବ ।

ରିପୋର୍ଟ ଅନୁସାରେ, ବିଭିନ୍ନ ରୋଗର ଚିକିତ୍ସା କରିବା ପାଇଁ ଅନେକ ପରିବାର କରଜ ଟଙ୍କାରେ ବୁଡ଼ି ରହୁଛନ୍ତି । ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଧନ-ସମ୍ପତ୍ତି ବିକ୍ରି କରିବା ଭଳି ଅନେକ ଘଟଣା ଏହାର ମୁଖ୍ୟ କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଆୟୁଷ୍ମାନ ଯୋଜନାର ସହାୟତା ରାଶିର ମୂଲ୍ୟ ୫ ଲକ୍ଷ ଟଙ୍କା(ବର୍ତ୍ତମାନକୁ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି ମୋଦୀ ସରକାର । ଆସନ୍ତା କେନ୍ଦ୍ର ବଜେଟରେ ଏହି ରାଶି ୧୦ ଲକ୍ଷ ଟଙ୍କାକୁ ବଢାଇବା ଉପରେ ବିଚାର-ବିମର୍ଶ କରାଯାଉଛି ।

Get real time updates directly on you device, subscribe now.