fbpx

ଗୁରୁ ଗୌତମଙ୍କ ଦୁଇଟି ରୂପ: ସାଂସଦ ଭାବରେ ଅଧିକ ରୋଜଗାର କରୁଥିଲେ ନା ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଅଧିକ ଟଙ୍କା ପାଇବେ…

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ପରିଷଦ ବା ବିସିସିଆଇର ସଚିବ ଜୟଶାହ ଟିମ୍ ଇଣ୍ଡିଆର ହେଡ କୋଚ ଭାବରେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଭାରତର ପୂର୍ବତନ ବ୍ୟାଟର ବା ଦିଲ୍ଲୀର ଏହି ପୂର୍ବତନ ସାଂସଦ ଗୁରୁ ଗୌତମ ଗମ୍ଭୀର ଭାରତୀୟ ଦଳକୁ ଶୀର୍ଷକୁ ନେଇ ଯିବେ ବୋଲି ସମସ୍ତେ ଆଶା କରିଛନ୍ତି । ଏବେ ସୋସିଆଲ ମିଡିଆରେ ଗୌତିକୁ ନେଇ ଚାଲିଛି ଚର୍ଚ୍ଚା । ଚର୍ଚ୍ଚା ଏହା ହେଉଛି ଯେ, ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଅଧିକ ଟଙ୍କା ମିଳିବ ନା ସାଂସଦ ଭାବରେ ସେ ଅଧିକ ରୋଜଗାର କରୁଥିଲେ ।

ଭାରତର ଏହି ପୂର୍ବତନ ବିଶ୍ୱକପ ବିଜେତା ଦଳର ସଦସ୍ୟ ୨୦୧୯ ମସିହାରେ ବିଜେପିର ଟିକେଟରେ ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ମାତ୍ର ଏହି ବର୍ଷ ପ୍ରାରମ୍ଭରେ ସେ ରାଜନୀତିରୁ ସନ୍ୟାସ ନେଇ ସାରିଛନ୍ତି । ତାଙ୍କର ନୂଆ ପାଳି ଭାରତୀୟ ଦଳରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସାଂସଦ ଭାବରେ ଗୌତମ ଗମ୍ଭୀରଙ୍କୁ ଭଲ ପାଉଣା ମିଳିବା ସହ ଅନେକ ସୁବିଧା ପ୍ରାପ୍ତ ହେଉଥିଲା । ମାସିକ ସେ ସାଂସଦ ଭାବରେ ୧ ଲକ୍ଷ ବେତନ ପାଉଥିଲେ । ତାହାସହ କୌଣସି ବୈଠକ କିମ୍ବା କାର୍ଯ୍ୟରେ ଗଲେ ମଧ୍ୟ ତାଙ୍କୁ ଭତ୍ତା ଓ ଅନ୍ୟସବୁ ସୁବିଧା ମିଳୁଥିଲା । ସାଂସଦ ଭାବରେ ପ୍ରତିମାସ ତାଙ୍କୁ ପ୍ରାୟ ୭୦ ହଜାର ନିର୍ବାଚନ କ୍ଷେତ୍ର ଭତ୍ତା ମଧ୍ୟ ପ୍ରାପ୍ତ ହେଉଥିଲା । ଦିଲ୍ଲୀ କାର୍ଯ୍ୟାଳୟରେ ତାଙ୍କ ପାଇଁ ଫ୍ରି କଲ ସୁବିଧା ସହ କାର୍ଯ୍ୟାଳୟ ବ୍ୟୟ ପାଇଁ ମଧ୍ୟ ପ୍ରାୟ ୬୦ ହଜାର ମିଳୁଥିଲା ।

ହେଡ କୋଚ ଭାବରେ ଗୌତମ ଗମ୍ଭୀର ବାର୍ଷିକ ପ୍ରାୟ ୧୦ ରୁ ୧୨ କୋଟି ଟଙ୍କା ନେବେ ବୋଲି ଅନୁମାନ କରାଯାଉଛି । ତାହାସହ ମୁଖ୍ୟ କୋଚର ସମସ୍ତ ଅଫିସିଆଲ ଯାତ୍ରା ଓ ଆବାସ ଖର୍ଚ୍ଚ ମଧ୍ୟ ବିସିସିଆଇ ବହନ କରେ । ଯାହା ଗୌତମ ଗମ୍ଭୀରଙ୍କୁ ମଧ୍ୟ ମିଳିବ । ଏହାବାଦ ତାଙ୍କୁ ଦୈନିକ ଖର୍ଚ୍ଚ ମଧ୍ୟ ମିଳିବ । ଯାହା ପ୍ରାୟ ୨୫୦ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୨୦ ହଜାରରୁ ଅଧିକ ଟଙ୍କା ହେବ । ସାଧାରଣ ଭାଷାରେ କହିବାକୁ ଗଲେ ଜଣେ ସାଂସଦ ଭାବରେ ଗୌତମ ଯେତେ ରୋଜଗାର କରୁ ନ ଥିଲେ ତାହାଠୁ ଢେର ରୋଜଗାର କରିବେ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ।

Get real time updates directly on you device, subscribe now.