fbpx

WCL 2024 ଚାମ୍ପିୟନ୍ ହେଲା ଭାରତ: ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟ ମୈଦାନରେ ମୁହାଁମୁହିଁ ହୋଇଥିଲେ । ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (ଡବ୍ଲ୍ୟୁସିଏଲ) ୨୦୨୪ ଫାଇନାଲରେ ଭାରତ ବିଜୟୀ ହୋଇ ଟାଇଟଲ ଜିତିଛି । ଏଥିସହିତ ଫାଇନାଲରେ ୫ ୱିକେଟରେ ପରାସ୍ତ ହୋଇ ପାକିସ୍ତାନର ଟାଇଟଲ ଆଶା ଧୂଳିସାତ୍ ହୋଇଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଭାରତ ଡବ୍ଲ୍ୟୁସିଏଲ ୨୦୨୪ ଟାଇଟଲ ଜିତିଛି ।

ପାକିସ୍ତାନ ଅଧିନାୟକ ୟୁନିସ୍ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶୋଏବ ମଲ୍ଲିକ ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରି ନଥିଲେ । ଦଳର ୱିକେଟ ନିୟମିତ ଭାବେ ପଡ଼ିବାରେ ଲାଗିଥିଲେ । ଭାରତ ପକ୍ଷରୁ ଅନୁରିତ ସିଂହ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୧୯.୧ ଓଭରରେ ୫ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର ଅମ୍ବାତି ରାୟଡ଼ୁ ୫୦ ରନ୍ ସଂଗ୍ରହ କରିଥିବା ବେଳେ ଗୁରକିରାତ ସିଂହ ମାନ୍ ୩୪ ଓ ୟୁସୁଫ ପଠାନ୍ ୩୦ ରନ୍ ସଂଗ୍ରହ କରିଥିଲେ । ଯୁବରାଜ ସିଂହ (୧୫) ଓ ଇର୍ଫାନ୍ ପଠାନ (୫) ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପାକିସ୍ତାନ ପକ୍ଷରୁ ଅମର ୟାମିନ୍ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.