fbpx

ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା: ୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ!

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଆସନ୍ତା ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ଶ୍ରୀ ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ନଡ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଳେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କର କାର୍ଯ୍ୟକାଳ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ଗତ ଜୁନ୍ ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇସାରିଛି ।

ଦଳର ନୂଆ ଅଧ୍ୟକ୍ଷ କିଏ ହେବେ ସେନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ତେଣୁ ଏଭଳି ସ୍ଥିତିରେ ନଡ୍ଡାଙ୍କୁ ଆଉ କିଛି ଦିନ ଏହି ପଦ ସମ୍ଭାଳିବାକୁ ଦିଆଯିବ ବୋଲି ସୂଚନା ମିଳିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଶ୍ରୀ ନଡ୍ଡା ୨୦୨୫ ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ । ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଦଳ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ । ବର୍ତ୍ତମାନ ନଡ୍ଡା ଦଳରେ ଅନେକ ଗୁରୁ ଦାୟିତ୍ୱ ସମ୍ଭାଳୁଛନ୍ତି । ଶ୍ରୀ ନଡ୍ଡା ମୋଦୀ କ୍ୟାବିନେଟରେ ସ୍ୱାସ୍ଥ୍ୟ, ରସାୟନ, ସାର ଓ ଫାର୍ମାସ୍ୟୁଟିକାଲ୍ସ ମନ୍ତ୍ରୀ ରହିଥିବା ବେଳେ ରାଜ୍ୟସଭାରେ ବିଜେପିର ନେତା ମଧ୍ୟ ରହିଛନ୍ତି । ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି କଲେ ତାହା ସମ୍ବିଧାନର ଉଲ୍ଲଂଘନ ହେବା ସହ ଦଳକୁ ଏଥିପାଇଁ କୋର୍ଟର ସାମ୍ନା କରିବାକୁ ପଡ଼ିପାରେ ବୋଲି କିଛିଦିନ ତଳେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ସତର୍କ କରାଯାଇ ଦେଇଥିଲେ । ତେଣୁ ଜଣେ ନୂଆ ଅଧ୍ୟକ୍ଷ ଦାୟିତ୍ୱ ନନେବା ପର୍ଯ୍ୟନ୍ତ ନଡ୍ଡା ଏହି ପଦରେ ରହିବା ଏବେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.