fbpx

ହାର୍ଦ୍ଦିକ ହେବେ ନୂଆ ଅଧିନାୟକ… ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ଗମ୍ଭୀର କରିବେ ବଡ଼ ପ୍ଲାନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଅଣ୍ଟା ଭିଡ଼ୁଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତକୁ ନୂଆ କୋଚ୍ ସହିତ ନୂଆ ଅଧିନାୟକ ମଧ୍ୟ ମିଳିବେ । କୋଚ୍ ଭାବରେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ଅଧିନାୟକ ଦାୟିତ୍ୱ କିଏ ନେବେ ସେ ସମ୍ପର୍କରେ ଘୋଷଣା ହୋଇନାହିଁ । ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳାଯିବ । ତେବେ ଜୁଲାଇ ୨୭ ତାରିଖରୁ ହେବାକୁ ଥିବା ଟି-୨୦ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହିଁ ଅଧିନାୟକ ପଦ ମିଳିପାରେ । ବିସିସିଆଇର ଏକ ବିଶେଷ ସୂତ୍ରରୁ ଏ ନେଇ ସୂଚନା ମିଳିଛି ।

ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରମୁଖ ଭୂମିକା ତୁଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଆଗାମୀ ଟି-୨୦ ସିରିଜ ପାଇଁ ନୂଆ ଅଧିନାୟକ ଭାବରେ ଦାୟିତ୍ୱ ନେଇପାରନ୍ତି । ଭାରତୀୟ ଦଳକୁ ଚମ୍ପିଆନ୍ କରାଇବା ପରେ ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି ରୋହିତ ଶର୍ମା । ତେବେ ଏହାପରେ ଆଗକୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ରହିଥିବା ବେଳେ ଏଥିରେ ଦଳର ନେତୃତ୍ୱ ହାର୍ଦ୍ଦିକଙ୍କ ହାତରେ ରହିବ ବୋଲି ବିସିସିଆଇ ସୂତ୍ରରୁ ଜାଣିବାକୁ ମିଳିଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ‘ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବରେ ରହିଥିଲେ । ସେ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି ଏବଂ ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଉପଲବ୍ଧ ରହିଛନ୍ତି । ତେଣୁ ପ୍ରାୟତଃ ହାର୍ଦ୍ଦିକଙ୍କୁ ହିଁ ଦଳର ଅଧିନାୟକ ପଦ ମିଳିବ ।’

ଶ୍ରୀଲଙ୍କା ବିପକ୍ଷ ଏହି ସିରିଜ ପାଇଁ ଖୁବଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ତେବେ ହାର୍ଦ୍ଦିକ ଦଳର ଅଧିନାୟକ ପଦ ମିଳୁଥିବା ବେଳେ ଉପ-ଅଧିନାୟକ ଭାବରେ ଶୁଭମନ ଗିଲ୍ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇପାରେ । ତେବେ ଦିନିକିଆ ସିରିଜରୁ ବ୍ରେକ ନେଇପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ । ବ୍ୟକ୍ତିଗତ କାରଣରୁ ସେ ଦଳରୁ କିଛି ଦିନର ବ୍ରେକ ମାଗିଥିବା ବେଳେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଏ ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.