ନୂଆଦିଲ୍ଲୀ: ଭାରତରେ ୫୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ୨୧ ରୁ ୩୦ ବର୍ଷ ବୟସର ବୃତ୍ତିଗତମାନେ କାର୍ଯ୍ୟରେ ଅଧିକ ଚାପଗ୍ରସ୍ତ ଥିବାବେଳେ ୪୧ ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନେ ଅଧିକ ଆରାମଦାୟକ ହୋଇଥାନ୍ତି । ମାନସିକ ଏବଂ ଭାବପ୍ରବଣ ସ୍ୱାସ୍ଥ୍ୟ କମ୍ପାନୀ YourDOST ଦ୍ୱାରା ଏହି ସର୍ଭେ କରାଯାଇଥିଲା ।
“Emotional Wellness State of Employees” ରିପୋର୍ଟରେ କୁହାଯାଇଛି ଯେ ୩୧-୪୦ ବର୍ଷ ବୟସର କର୍ମଚାରୀମାନେ ଦ୍ୱିତୀୟ ସର୍ବାଧିକ ଚାପଗ୍ରସ୍ତ ଗୋଷ୍ଠୀ ଅଟନ୍ତି ଏବଂ ୫୯.୧୮ ପ୍ରତିଶତ ଲୋକ ଉଚ୍ଚ ସ୍ତରର ଏନଜାଇଟର ସମ୍ମୁଖୀନ ହୋଇଥିଲେ ।
ରିପୋର୍ଟରେ କୁହାଯାଇଛି, “ଯଦିଓ ଅନୁସନ୍ଧାନ ସୂଚାଇ ଦେଇପାରେ ଯେ ବୟସ୍କ କର୍ମଚାରୀମାନଙ୍କ ତୁଳନାରେ ଯୁବା କର୍ମଚାରୀମାନେ ଭାବପ୍ରବଣ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବାକୁ ଅଧିକ ଖୋଲା ଥିଲେ, କିନ୍ତୁ ବୃଦ୍ଧ ସହକର୍ମୀଙ୍କ ତୁଳନାରେ ପରିବାର, ବନ୍ଧୁ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ହେତୁ ସେମାନେ ଉଚ୍ଚ ଚାପ ଅନୁଭବ କରିଥିଲେ ।’
YourDOST ମୁଖ୍ୟ ସାଇକୋଲୋଜି ଅଧିକାରୀ ଡକ୍ଟର ଜିନି ଗୋପୀନାଥ କହିଛନ୍ତି, “କାର୍ଯ୍ୟକ୍ଷେତ୍ରରେ ଗତିଶୀଳତା, ରିମୋଟ ଏବଂ ହାଇବ୍ରିଡ କାର୍ଯ୍ୟ ମଡେଲଗୁଡିକର ବିକାଶ ହିଁ ୨୧-୩୦ ବୟସ ଶ୍ରେଣୀ ଉପରେ ପ୍ରଭାବ ପକାଇଛି । ଏଡାକୁ ସମର୍ଥନ କରିବା ପାଇଁ ସଙ୍ଗଠନକୁ ନିୟମିତ କମ୍ପୁନିକେସନ ଓ ଯୋଗାଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ । ଲଗାତାର ପଲ୍ସ ସର୍ବେକ୍ଷଣ ଲାଗୁ କରିବାରୁ ଆମକୁ ନିଜ କର୍ମଚାରୀଙ୍କ ଆବଶ୍ୟକତା ଓ ଚ୍ୟାଲେଞ୍ଜ ଉପରେ ନଜର ରଖିବାରେ ସାହାର୍ଯ୍ୟ ମିଳିବ ।
କର୍ମକ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚାପ ଅନୁଭବ କରନ୍ତି :-
ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ କର୍ମକ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚାପଗ୍ରସ୍ତ ହୋଇଥିଲେ । ପ୍ରାୟ ୭୨ ପ୍ରତିଶତ ମହିଳା ଉତ୍ତରଦାତା ଉଚ୍ଚ ଚାପର ସ୍ତର ବିଷୟରେ ଜଣାଇଥିଲେ । ଅନ୍ୟପକ୍ଷରେ, ୫୩.୬୪ ପ୍ରତିଶତ ପୁରୁଷ କହିଛନ୍ତି ଯେ ସେମାନେ ଉଚ୍ଚ ଚାପର ସ୍ତର ଅନୁଭବ କରୁଛନ୍ତି । ମହିଳା ଉତ୍ତରଦାତାମାନେ କହିଛନ୍ତି ଯେ କାର୍ଯ୍ୟ-ଜୀବନ ସନ୍ତୁଳନର ଅଭାବ, ସ୍ୱୀକୃତିର ଅଭାବ, କ୍ରମାଗତ ନିମ୍ନ ମନୋବଳ ଏବଂ ସର୍ବଦା ସମାଲୋଚନାର ଭୟ ହେଉଛି ଚାପ ବଢ଼ାଇବାର ମୁଖ୍ୟ କାରକ ।
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ବର୍ଷକୁ ବର୍ଷ ଉଚ୍ଚ ଏବଂ ଗୁରୁତର ଚାପରେ ପୀଡିତ କର୍ମଚାରୀଙ୍କ ସଂଖ୍ୟା ୩୧ ପ୍ରତିଶତ ବୃଦ୍ଧି ପାଇଛି ।
ଡକ୍ଟର ଗୋପୀନାଥ କହିଛନ୍ତି, “ଯଦିଓ ଆମେ ଦେଖିଛୁ ଯେ ଚାପକୁ ସନ୍ତୁଳିତ କରିବାରେ ପରାମର୍ଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ – କିନ୍ତୁ କର୍ମକ୍ଷେତ୍ରରେ ଏକ ସହାୟକ ତଥା ଅନ୍ତର୍ଭୂକ୍ତ ପରିବେଶ ମହିଳାମାନଙ୍କୁ କର୍ମକ୍ଷେତ୍ର ଭିତରେ ଏବଂ ବାହାରେ ସେମାନଙ୍କର ଦାୟିତ୍ୱର ପରିଚାଳନା କରିବାରେ ସାହାଯ୍ୟ କରିଥାଏ ।’