fbpx

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ କମଳା ବାରମ୍ବାର ମେଡିକାଲରେ ଆଡମିଟ୍ ହେବା ସହିତ ଚିକିତ୍ସିତ ହୋଇ ଆସୁଥିଲେ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ କିଡନୀ ଜନିତ ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କମଳାଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଶ୍ରୀମତୀ ପୂଜାରୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ ସମଗ୍ର ଦେଶରେ ବିଶେଷ ଭାବେ ପରିଚିତି ହାସଲ କରିଥିଲେ । ୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ସେ ଚର୍ଚ୍ଚାକୁ ଆସିଥିଲେ । ଜୟପୁରଠାରୁ ୧୦ କିମି ଦୂରରେ ଥିବା ପାତ୍ରପୁଟ ତାଙ୍କର ଜନ୍ମମାଟି ଥିଲା । ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ୨୦୦୨ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ତାଙ୍କୁ ଇକ୍ୱେଟର ଅଫ୍ ଇନିସିଏଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଦିଲ୍ଲୀରେ ତାଙ୍କୁ କୃଷି ବିଶାରଦ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଅସୁସ୍ଥତା କାରଣରୁ ଗତ ୧୬ ତାରିଖରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟାରେ ସୁଧାର ନ ଆସିବାରୁ ତାଙ୍କୁ ୧୭ ତାରିଖରେ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବିଦାୟ ନେଇଥିଲେ କଳିଙ୍ଗ ମାଟିର ଏହି ସୁପୁତୀ ।

Get real time updates directly on you device, subscribe now.