fbpx

ମାଇକ୍ରୋସଫ୍ଟ ସର୍ଭର କାହିଁକି ଡାଉନ୍ ହେଲା: ବିଶ୍ୱରେ ଦେଖାଦେଇଥିବା ସମସ୍ୟାର କାରଣ ଚିହ୍ନଟ ହେଲା, କମ୍ପାନୀ ଜାରି କଲା ନୂଆ ବୟାନ

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ବିଶ୍ୱର ଅନ୍ୟତମ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟରେ ସୃଷ୍ଟି ହୋଇଥିବା ସଙ୍କଟର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି । ବ୍ୟାଙ୍କିଂ ସେବା ଠାରୁ ଆରମ୍ଭ କରି ବିମାନ ସେବା ସବୁ କ୍ଷେତ୍ରରେ ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ପଡ଼ିଛି । ଏହି କାରଣ ପାଇଁ ଭାରତୀୟ ଏୟାରଲାଇନ୍ସ ଇଣ୍ଡିଗୋ ଦେଶରେ ପାଖାପାଖି ୨୦୦ ବିମାନକୁ ରଦ୍ଦ କରିଦେଇଥିଲା । ସେହିପରି ମାଇକ୍ରୋସଫ୍ଟ ସଙ୍କଟ କାରଣରୁ ଆମେରିକୀୟ ଏୟାରଲାଇନ୍ସରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ସମେତ ସିଙ୍ଗାପୁର, ଅଷ୍ଟ୍ରେଲିଆ, ହଂକଂ, ସ୍ପେନ, ବ୍ରିଟେନ ପରି ବିଶ୍ୱର ଅନେକ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ସେବା ଠପ୍ ହୋଇଯାଇଥିଲା । ଏହି କାରଣରୁ ମାଇକ୍ରୋସଫ୍ଟ ମାତ୍ର କିଛି ଘଣ୍ଟାରେ ୧୮ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ମାଇକ୍ରୋସଫ୍ଟ ଆଉଟେଡଜ୍ ପଛର ପ୍ରକୃତ କାରଣ କ’ଣ? କାହିଁକି ବିଶ୍ୱରେ ଏଭଳି ବଡ଼ଧରଣର ଅଚଳାବସ୍ଥା ସୃଷ୍ଟି ହେଲା? ଟେକନିକରେ ସମସ୍ୟା କାରଣରୁ ସାରା ଦିନିଆରେ ବିଭିନ୍ନ ସେବା ଠପ୍ ହୋଇଯାଇଥିଲା । ବ୍ୟାଙ୍କିଂ, ହସ୍ପିଟାଲ, ଶେୟାର ବଜାର, ଟିଭି ଚାନେଲ, କଲ ସେଣ୍ଟର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସିଭିଲ ଏଭିଏସନ ଏକ୍ସପର୍ଟ ସାଇବର ଆକ୍ରମଣର ଆଶଙ୍କା କରୁଥିବା ବେଳେ ମାଇକ୍ରୋସଫ୍ଟ ତରଫରୁ ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇଛି । ମାଇକ୍ରୋସଫ୍ଟ ସମେତ ସାରା ଦୁନିଆର ସର୍ବଶ୍ରେଷ୍ଠ ଇଞ୍ଜିନିୟରମାନେ ଏହି ଟେକ୍ନିକାଲ ସମସ୍ୟାର ସମାଧାନ ପାଇଁ ଲାଗି ପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ସେବା ପ୍ରଦାନ ପାଇଁ ଆହୁରି ସମୟ ଲାଗିବ ବୋଲି ଜଣାପଡ଼ିଛି ।

ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲ ଏକ ପୋଷ୍ଟ ଜାରି କରି କହିଛନ୍ତି: ଗତକାଲି କ୍ରାଉଡଷ୍ଟ୍ରାଏକ ଏକ ଅପଡେଟଜ ଜରି କରିଥିଲା, ତାହା ବିଶ୍ୱ ସ୍ତରରେ ଆଇଟି ସିଷ୍ଟମକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଥିଲା । ଗ୍ରାହକଙ୍କୁ ସୁରକ୍ଷିତ ଭାବେ ସେବା ପ୍ରଦାନ କରିବା ପାଇଁ ଓ ଟେକନିକ୍ ମାର୍ଗଦର୍ଶନ ତଥା ସହାୟତା ପ୍ରଦାନ କରିବା ପାଇଁ କ୍ରାଉଡଷ୍ଟ୍ରାଇକ ସମେତ ସାରା ଇଣ୍ଡଷ୍ଟ୍ରି ସହିତ ମିଶି କାର୍ଯ୍ୟ କରାଯାଉଛି । ବିଶ୍ୱ ସାଇବର ସୁରକ୍ଷା ଫାର୍ମ କ୍ରାଉଡଷ୍ଟ୍ରାଇକ ପକ୍ଷରୁ କୁହାଯାଇଛି ଯେ, ନିଜର ସଫ୍ଟୱେୟରକୁ ଚିହ୍ନଟ କରାଯାଇଛି ଓ ତା’ର ସମାଧାନ ଉପରେ କାମ କରାଯାଉଛି । ପ୍ରକୃତ କଥା ହେଉଛି, କ୍ରାଉଡଷ୍ଟ୍ରାଇକ ମାଇକ୍ରୋସଫ୍ଟକୁ ତା’ର ୱିଣ୍ଡୋ ଡିଭାଇସ ପାଇଁ ଆଣ୍ଟିଭାଇରସ ସଫ୍ଟୱେୟର ପ୍ରଦାନ କରିଥାଏ । କ୍ରାଉଡଷ୍ଟ୍ରାଇକ୍ ଅପଡେଟ୍ କାରଣରୁ ବିଶ୍ୱ ସ୍ତରରେ ଅନେକ ଆଇଟି ସିଷ୍ଟମ ବନ୍ଦ ହୋଇଯାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ ଏକ ବୟାନରେ କୁହାଯାଇଛି ।

ଉକ୍ତ ସମସ୍ୟାକୁ ଚିହ୍ନଟ କରାଯାଇଛି ଓ ସମାଧାନର ବାଟ ଖୋଜା ଚାଲିଛି ବୋଲି କ୍ରାଉଡଷ୍ଟ୍ରାଇକର ସିଇଓ ଜର୍ଜ କର୍ଟଜ କହିଛନ୍ତି । ଏହା ସୁରକ୍ଷା ସହ ଜଡ଼ିତ ମାମଲା କି ସାଇବର ଆକ୍ରମଣ ମାମଲା ନୁହେଁ । ସମସ୍ୟାକୁ ଚିହ୍ନଟ କରାଯାଇଛି, ତାହାକୁ ଅଲଗା କରାଯାଇଛି ଓ ତା’ର ସମାଧାନ କରାଯାଇଛି ବୋଲି କୁହାଯାଇଛି । ତେବେ କମ୍ପାନୀର ୪୬୫ ଆପ୍ସ ଓ ସେବାର ଆଉଟେଜର ମୂଳ କାରଣକୁ ଠିକ୍ କରାଯାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ ଏକ ପଜିଟିଭ୍ ଅପଡେଟ୍ ଜାରି କରାଯାଇଛି । ସମସ୍ୟା ବହୁମାତ୍ରାରେ ସମାଧାନ କରାଯାଇଛି ଓ କମ୍ପାନୀର ଟେଲିମେଟ୍ରିକୁ ସେ ବାବଦରେ ସୂଚନା ମିଳିଛି ବୋଲି ବୋଲି ମାଇକ୍ରୋସଫ୍ଟ ସୋସିଆଲ ମିଡ଼ିଆରେ ସୂଚନା ଦେଇଛି । ଅର୍ଥାତ ବ୍ଲୁ ସ୍କ୍ରିନ ଅଫ୍ ଡେଥ୍ (ବିଏସଓଡି) ସମସ୍ୟାର ସମାଧାନ ପାଇଁ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.